ବଦଳିବ କଲେଜ କ୍ୟାମ୍ପସ୍‌ ରୂପରେଖ

ଭୁବନେଶ୍ୱର,୧୨।୭(ଅନୁରାଧା ମହାରଣା): ୫-ଟି ରୂପାନ୍ତରଣ ମାଧ୍ୟମରେ ପୂର୍ବରୁ ବିଦ୍ୟାଳୟଗୁଡ଼ିକର ରୂପରେଖ ବଦଳୁଥିବାବେଳେ ଏବେ ଏହି କାର୍ଯ୍ୟକ୍ରମରେ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକୁ ସାମିଲ କରାଯାଉଛି। କଲେଜରେ ଛାତ୍ରୀଛାତ୍ରଙ୍କ ପାଇଁ ସ୍ମାର୍ଟଶ୍ରେଣୀଗୃହଠାରୁ ଆରମ୍ଭକରି ଇ-ଲାଇବ୍ରେରି ସୁବିଧା କରାଯିବ। ଉତ୍ତମମାନର ଲାବୋରେଟରି ସାଙ୍ଗକୁ ଉନ୍ନତ ଶ୍ରେଣୀଗୃହରେ ପିଲାମାନେ ପାଠ ପଢ଼ିବେ। ଅତ୍ୟାଧୁନିକ ବ୍ୟବସ୍ଥାରେ କଲେଜ କ୍ୟାମ୍ପସର ରୂପରେଖ ବଦଳିବ। ଏହି କ୍ରମରେ ଗଞ୍ଜାମ ଜିଲାର ୧୧ଟି ଶିକ୍ଷାନୁଷ୍ଠାନର ବିକାଶ କରାଯିବ। ମୋ କଲେଜ ଅଭିଯାନରେ ସାମିଲ ହୋଇ ୫-ଟି ରୂପାନ୍ତରଣ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲାର ୮ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ୩ଟି ଡିଗ୍ରୀ କଲେଜର ରୂପାନ୍ତରଣ ପାଇଁ ରୁଙ୍ଗ୍‌ଟା ସନ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ର ସିଏସ୍‌ଆର୍‌ ଫଣ୍ଡରୁ ୪ କୋଟି ୫୦ ଲକ୍ଷ ଟଙ୍କା ଅର୍ଥରାଶି ପ୍ରଦାନ କରାଯାଇଛି। ଗଞ୍ଜାମ ଜିଲାପାଳଙ୍କ ତତ୍ତ୍ୱାବଧାନରେ ଏହି ଅର୍ଥ କଲେଜର ଉନ୍ନତୀକରଣ ପାଇଁ ଆସିଛି। ଏହାପରେ କଲେଜରେ ବିଭିନ୍ନ ପ୍ରକଳ୍ପ ପାଇଁ ଏହି ଅର୍ଥରାଶିର ଦୁଇଗୁଣା ଅର୍ଥ ୯କୋଟି ଟଙ୍କା ସରକାରଙ୍କ ଅନୁମୋଦନ ପରେ ‘ମୋ କଲେଜ’ ଅଭିଯାନ ପକ୍ଷରୁ ପ୍ରଦାନ କରାଯାଇଛି। ଏହି ଅର୍ଥରାଶିରେ ଗଞ୍ଜାମ ହିଞ୍ଜିଳିକାଟୁ ବ୍ଲକର ଗନ୍ଦଳା ବେଲଗାମସ୍ଥିତ ଶ୍ରୀ ବେଲେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ପୋଚିଲିମାସ୍ଥିତ ଖମ୍ବେୟା ଦୋରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କଞ୍ଚୁରୁସ୍ଥିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଶାସନସ୍ଥିତ ଓଏଭିଏସ୍‌ ହିଞ୍ଜିଳିକାଟୁ ଏବଂ ଗନ୍ଦଳା ବେଲଗାମସ୍ଥିତ ଶ୍ରୀ ବେଲେଶ୍ୱର ଡିଗ୍ରୀ ମହାବିଦ୍ୟାଳୟ, ହିଞ୍ଜିଳିକାଟୁ ମ୍ୟୁନିସିପାଲିଟି ଅଞ୍ଚଳରେ ଥିବା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ବିଜ୍ଞାନ ମହାବିଦ୍ୟାଳୟ, ଶେରଗଡ ବ୍ଲକ୍‌ର ପିତ୍ତଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଉଦୟ ପ୍ରତାପ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଶେରଗଡ଼ ଓଏଭି ଏବଂ ଉଦୟ ପ୍ରତାପ ବିଜ୍ଞାନ ଡିଗ୍ରୀ ମହାବିଦ୍ୟାଳୟର ଉନ୍ନତୀକରଣ କରାଯିବ। ଏହି ସବୁ ଉଚ୍ଚ ମାଧ୍ୟମିକ ସ୍କୁଲ ଓ ମହାବିଦ୍ୟାଳୟରେ ସ୍ମାର୍ଟ ଶ୍ରେଣୀଗୃହ ନିର୍ମାଣ, ପୁରୁଣା ଶ୍ରେଣୀଗୃହର ଉନ୍ନତୀକରଣ, ନୂଆ ଅଡିଟୋରିୟମ, କମନରୁମ୍‌ ପ୍ରତିଷ୍ଠା, ଛାତ୍ରୀ ଓ ଛାତ୍ରୀଙ୍କ ପାଇଁ ଶୌଚାଳୟ ନିର୍ମାଣ କରାଯିବ। ଏଥିସହ ଇ-ଲାଇବ୍ରେରି, କଲେଜ କ୍ୟାମ୍ପସ ସୌନ୍ଦର୍ଯ୍ୟକରଣ ସହ କଲେଜରେ ବାସ୍କେଟବଲ, ଭଲିବଲ କୋର୍ଟ ତିଆରି ହେବ।

Share