୨୩ବର୍ଷରେ ସରପଞ୍ଚ ଦାୟିତ୍ୱ

ଫିରୋଜାବାଦ,୨୬।୫: ଉତ୍ତରପ୍ରଦେଶ ଫିରୋଜାବାଦରେ ପଞ୍ଚାୟତ ନିର୍ବାଚନ ସରିବା ପରେ ମଙ୍ଗଳବାର ଭର୍ଚୁଆଲ ମାଧ୍ୟମରେ ସରପଞ୍ଚଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ ଗ୍ରହଣ କରାଯାଇଛି। ଏହି ଅବସରରେ ଜିଲାର ସର୍ବ କନିଷ୍ଠ ତଥା ୨୩ ବର୍ଷୀୟ ଯୁବତୀ ସରପଞ୍ଚ ପାଇଁ ଶପଥ ଗ୍ରହଣ କରିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଫିରୋଜାବାଦର ବେନ୍ଦୀ ପଞ୍ଚାୟତ କହିବାକୁ ଗଲେ ବହୁତ ଛୋଟ। କିନ୍ତୁ ଏଠାକାର ରାଜନୀତିର ରାଜନୀତି ସମଗ୍ର ଜିଲାରେ ସବୁବେଳେ ଚର୍ଚ୍ଚାରେ ରହିଥାଏ। ମଙ୍ଗଳବାର ଗାଁର ନବ ନିର୍ବାଚିତ ୨୩ ବର୍ଷୀୟା ବିସିଏ ଛାତ୍ରୀ ବଂଶିକା ରାଜ ଶର୍ମା ସରପଞ୍ଚ ଭାବେ ଶପଥ ପାଠ ଗ୍ରହଣ କରିଛନ୍ତି। ଶପଥ ନେବା ପରେ ନିଜ ଭାଷଣରେ ସେ କହିଛନ୍ତି, ଗାଁରେ କୌଣସି ପ୍ରକାରର ରାଜୀନୀତି ହେବା କଥା ନୁହେଁ। ପୁରା ଗାଁ ଏକ ପରିବାର, ଆଉ ଏଠାକାର ସମସ୍ୟା ହେଉଛି ପ୍ରତ୍ୟେକ ବ୍ୟକ୍ତିଙ୍କର ସମସ୍ୟା। ଗାଁରେ ଥିବା ମୌଳିକ ଅସୁବିଧାକୁ ସେ ସର୍ବପ୍ରଥମେ ଦୂର କରିବାକୁ ଯଥାସମ୍ଭବ ଚେଷ୍ଟା କରିବେ। ଏତଦ୍‌ ବ୍ୟତୀତ ସେ କହିଛନ୍ତି, ଶିକ୍ଷା ହେଉଛି ଜଣେ ବ୍ୟକ୍ତି ଜୀବନର ଆଧାର। ଶିକ୍ଷା ବିନା ଜୀବନ ପଶୁ ସମାନ। ତେଣୁ ସେ ଗାଁ ଯୁବତୀଙ୍କୁ ଶିକ୍ଷିତ କରିବା ଲାଗି ପ୍ରଚେଷ୍ଟା କରିବେ। ସରକାରଙ୍କ ସହାୟତାରେ ସେ ଗାଁର ମହିଳାମାନଙ୍କ ଉନ୍ନତି ପାଇଁ କାର୍ଯ୍ୟ କରିବେ ବୋଲି ବଂଶିକା କହିଛନ୍ତି। ଯଦିଓ ସେ ରାଜନୀତିରେ ପ୍ରବେଶ କରିବାକୁ ଚାହୁଁ ନ ଥିଲେ ମଧ୍ୟ ଗାଁର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ତାଙ୍କୁ ରାଜନୀତିରେ ପ୍ରବେଶ କରିିବାକୁ ବାଧ୍ୟ କରିଥିଲା ବୋଲି ବଂଶିକା କହିଛନ୍ତି।

Share