ୟୁନିଫର୍ମ, ପରିଚୟପତ୍ର ନ ଥିଲେ କଲେଜ ମନା

ଭଞ୍ଜନଗର,୨୩।୧୧(ଡି.ଏନ.ଏ): ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ (କେଏସ୍‌ୟୂବି) କଲେଜ ଆଣ୍ଟି ରାଗିଂ ସେଲ୍‌, ମହିଳା ନିର୍ଯାତନା ନିରୋଧି ସେଲ୍‌ ଏବଂ ଶୃଙ୍ଖଳା କମିଟି ମଙ୍ଗଳବାର ଗଠିତ ହୋଇଛି । ଅପରାହ୍ନରେ କଲେଜ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଦାସଙ୍କ ସଭାପତିତ୍ୱରେ ମିଳିତ ବୈଠକ ହୋଇଥିଲା। ଯେଉଁ ଛାତ୍ରୀଛାତ୍ର କଲେଜ ୟୁନିଫର୍ମ ପିନ୍ଧି ନ ଥିବେ କିମ୍ବା ପାଖରେ ପରିଚୟପତ୍ର ନ ଥିବା ସେମାନଙ୍କୁ କଲେଜ କ୍ୟାମ୍ପସରେ ପ୍ରବେଶ ଅନୁମତି ଦିଆଯିବନି। କ୍ୟାମ୍ପସରେ ଛାତ୍ରୀଛାତ୍ରମାନେ ମୋବାଇଲ ଫୋନ୍‌ ବ୍ୟବହାର ଉପରେ ମଧ୍ୟ କଟକଣା ଲଗାଯିବ। କଲେଜ ପରିସରରେ ଛାତ୍ରୀଛାତ୍ରଙ୍କ ମଧ୍ୟରେ କିଭଳି ଶୃଙ୍ଖଳା ରହିବ ସେ ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା। ମୁଖ୍ୟ ଫାଟକରେ ଯାଞ୍ଚ କଡ଼ାକଡ଼ି କରାଯିବ। ପ୍ରଶାସନିକ ଅଧିକାରୀ ପ୍ରାଧ୍ୟାପକ ସାତ୍ୟକୀ ସାହୁ ବୈଠକର ଉଦ୍ଦେଶ୍ୟ ସମ୍ପର୍କରେ କହିଥିଲେ । ଆଣ୍ଟି ରାଗିଂ ସେଲ ସଂଯୋଜକ ପ୍ରାଧ୍ୟାପକ ବିଭାସ ଦାସ, ସଭ୍ୟ ଡ. ରବୀନ୍ଦ୍ର କୁମାର ମିଶ୍ର, ରଜତ ମିଶ୍ର, ସୁନିଲ ଦାସ, ରଜନୀକାନ୍ତ ତ୍ରିପାଠୀ, ବିଜୟ ମଲ୍ଲିକ, ମହିଳା ନିର୍ଯାତନା ନିରୋଧି ସେଲର ସଂଯୋଜିକା ପ୍ରାଧ୍ୟାପିକା ଆରତୀ ପ୍ରଧାନ, ଅଧ୍ୟାପିକା ରାଜଲକ୍ଷ୍ମୀ ରଥ, ସ୍ମରଣିକା ପାଢ଼ୀ, ସସ୍ମିତା ଦାସ, ମନ୍ଦାକିନି ପଣ୍ଡା, ରାଜଶ୍ରୀ ନାୟକ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ। ଅଧ୍ୟାପକ ସୁନିଲ ଦାସ ଧନ୍ୟବାଦ ପ୍ରଦାନ କରିଥିଲେ। ଳସୂଚନାଯୋଗ୍ୟ, ବ୍ରହ୍ମପୁରର ଏକ କଲେଜରେ ଜଣେ ଛାତ୍ରୀଙ୍କୁ କିଛି ଛାତ୍ର ନିର୍ଯାତନା ଦେବା ଭିଡ଼ିଓ ଭାଇରାଲ ହେବାପରେ ପ୍ରଶାସନ ସତର୍କ ହୋଇଛି । ସମସ୍ତ କଲେଜରେ କିଭଳି ଆଣ୍ଟି ରାଗିଂ ସେଲ ଆଦି କାର୍ଯ୍ୟ କରିବ ସେନେଇ ପଦକ୍ଷେପ ନେବାକୁ କଲେଜ ଗୁଡ଼ିକୁ ଚିଠି ଆସିଛି।