ରାସ୍ତାରୁ ନର୍ଦ୍ଦମାପାଣି ସଫାକଲେ କଲେଜ ଛାତ୍ରୀ

ପଟ୍ଟାମୁଣ୍ଡାଇ,୧୦ା୫(ସ୍ବ.ପ୍ର.): କେନ୍ଦ୍ର ଓ ରାଜ୍ୟ ସରକାର ପ୍ରତି ଗ୍ରାମକୁ ପକ୍କା ରାସ୍ତା ଏବଂ ଗ୍ରାମ ଭିତରେ ସିମେଣ୍ଟ କଙ୍କ୍ରିଟ୍‌ ରାସ୍ତା ନିର୍ମାଣ ପାଇଁ ଅର୍ଥ ବ୍ୟୟ କରୁଛନ୍ତି। ପାଣି ନିଷ୍କାସନ ପାଇଁ ଡ୍ରେନେଜ ବ୍ୟବସ୍ଥା ମଧ୍ୟ କରିଛନ୍ତି। ମାତ୍ର ପ୍ରଶାସନର ଖାମଖିଆଲି ନୀତି ଯୋଗୁ ଡ୍ରେନେଜ ପାଣି ରାସ୍ତାରେ ଲହଡି ମାରିବା ସହ ଗ୍ରୀଷ୍ମରେ କାଦୁଅ ହେଉଥିଲା। ଫଳରେ ଏହି ଦେଇଯାଉଥିବା କଲେଜ ଛାତ୍ରୀଛାତ୍ରମାନେ ବେଶି ଅସୁବିଧାରେ ପଡ଼ୁଥିଲେ। ତେଣୁ ରାସ୍ତା ମରାମତି ପାଇଁ ଛାତ୍ରୀଛାତ୍ରମାନେ ବାରମ୍ବାର ପ୍ରଶାସନ ନିକଟରେ ଦାବି କରି ଆସୁଥିଲେ। ମାତ୍ର ପ୍ରଶାସନ କର୍ଣ୍ଣପାତ ନ କରିବାରୁ କଲେଜ ଛାତ୍ରୀମାନେ କୋଦାଳ ଓ ବାଲତିରେ ରାସ୍ତାରୁ ଆବର୍ଜନା ପାଣି ବାହାର କରିଥିଲେ। ରାସ୍ତା ୨ ପାଶର୍‌ବରେ ଥିବା ଡ୍ରେନ୍‌କୁ ସଫା କରିବା ଦାବିରେ ଧାରଣା ଦେଇଥିଲେ।
କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବଡ଼ପଡ଼ା କଲେଜ ଆଗରେ ଖରାଦିନେ ରାସ୍ତାରେ ନର୍ଦ୍ଦମା ପାଣି ଲହଡି ମାରୁଛି। ବଡପଡ଼ା-ବିଜୟନଗର ମୁଖ୍ୟ ରାସ୍ତା ଶୋଚନୀୟ ହୋଇପଡିଛି। ଏହି ରାସ୍ତାରେ ଗ୍ରାମବାସୀଙ୍କ ସହ ବଡ଼ପଡ଼ା କଲେଜ ଛାତ୍ରୀଛାତ୍ର ମୁଖ୍ୟ ରାସ୍ତାଠାରୁ ୧ କିମି ଦୂରରେ କଣ୍ଟାବଣ ବଜାର ଥିବାରୁ ଏଥିରେ ଯାତାୟାତ କରନ୍ତି। ସବୁବେଳେ କାଦୁଅ ସର ସର ଯୋଗୁ ରାସ୍ତାରେ ପ୍ରତିଦିନ ଦୁର୍ଘଟଣା ଘଟୁଥିଲା। ବଡ଼ପଡ଼ା ମହାବିଦ୍ୟାଳୟ ଛାତ୍ରୀଛାତ୍ରମାନେ ବେଶୀ ଅସୁବିଧାରେ ପଡ଼ୁଥିଲେ। ତେଣୁ ରାସ୍ତା ମରାମତି ପାଇଁ ଛାତ୍ରୀଛାତ୍ର ପ୍ରଶାସନ ନିକଟରେ ବାରମ୍ବାର ଦାବି କରୁଥିଲେ। ଏ ନେଇ ମଙ୍ଗଳବାର ବଡ଼ପଡ଼ା ମହାବିଦ୍ୟାଳୟ ଛାତ୍ରୀମାନେ କଲେଜ ୟୁନିଫର୍ମ ପିନ୍ଧି କୋଦାଳ ଓ ବାଲ୍‌ତି ଧରି ରାସ୍ତାକୁ ସଫା କରିବା ସହ ପ୍ରଶାସନ ବିରୋଧରେ ନାରାବାଜି ଦେଇଥିଲେ। ଛାତ୍ରୀମାନେ ରାସ୍ତାରୋକୋ କରିବା ସହିତ ଧାରଣାରେ ବସି ରହିଥିଲେ। ଖବରପାଇ କାଠିଆପଡା ରାଜସ୍ବ ନିରୀକ୍ଷକ ପ୍ରଦ୍ୟୁମ୍ନ କୁମାର ସ୍ବାଇଁ ଓ ସରପଞ୍ଚ ପ୍ରତିନିଧି ରାମ ରାଉତ ଘଟଣାସ୍ଥଳରେ ପହଞ୍ଚତ୍ ଆନ୍ଦୋଳନ କରୁଥିବା ଛାତ୍ରୀଙ୍କ ସହିତ ଆଲୋଚନା କରିଥିଲେ। ରାସ୍ତା ମରାମତି କରିବା ପାଇଁ ସମୟ ମାଗିଥିଲେ। ମାତ୍ର ଛାତ୍ରୀମାନେ ଜିଦ୍‌ରେ ଅଟଳ ରହି ରାସ୍ତା ମରାମତି କଲେ ଧାରଣାରୁ ହଟିବୁ ବୋଲି କହିଥିଲେ। ପରେ ଆରଆଇ ସ୍ବାଇଁ ଓ ସରପଞ୍ଚ ଜେସିବି ମେଶିନ୍‌ ଆଣି ରାସ୍ତା ଦୁଇପାଶର୍‌ବରେ ପୋତି ଯାଇଥିବା ନାଳକୁ ସଫା କରିଥିଲେ। ଏଥିସହ ରାସ୍ତାରୁ କାଦୁଅ ବାହାର କରିଥିଲେ। ତା’ପରେ ଛାତ୍ରୀମାନେ ରାସ୍ତାରୋକୋ ଆନ୍ଦୋଳନ ପ୍ରତ୍ୟାହୃତ କରିଥିଲେ।

Share