ଗାଡ଼ି ଧକ୍କାରେ ଚାଲିଗଲା କଲେଜ ଛାତ୍ରଙ୍କ ଜୀବନ: ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକୋ

କଟକ,୧୮ା୧(କାର୍ତ୍ତିକ ସାହୁ): ଏକ ଗାଡ଼ି ଧକ୍କାରେ ଜଣେ କଲେଜ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଚାଉଳିଆଗଞ୍ଜ ତଳସାହିର ନୃସିଂହ ଚରଣ ସାହୁଙ୍କ ବଡ଼ ପୁଅ ସତ୍ୟପ୍ରସାଦ ସାହୁ(୧୮)। ଚାଉଳିଆଗଞ୍ଜ ଥାନା ଅଧୀନ ତାଳଦଣ୍ଡା କେନାଲ ରାସ୍ତାରେ ଗୁରୁବାର ଏହି ଦୁର୍ଘଟଣା ଘଟିଛି । ଚାଉଳିଆଗଞ୍ଜ ଅଞ୍ଚଳର ୨ ଭାଇ ସାଇକେଲରେ ଯାଉଥିବା ବେଳେ ଏଜ କାର୍‌ ସେମାନଙ୍କୁ ଧକ୍କା ଦେଇ ଦ୍ରୁତଗତିରେ ଫେରାର ହୋଇଯାଇଥିଲା।

ଖବର ପାଇ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଦୁଇ ଭାଇଙ୍କୁ ଉଦ୍ଧାର କରି ଏସ୍‌ସିବି ମେଡିକାଲରେ ଭର୍ତ୍ତି କରିଥିଲେ। ସାନ ଭାଇ ସାମାନ୍ୟ ଆହତ ହୋଇଛନ୍ତି। ହେଲେ ବଡ଼ ଭାଇ ସତ୍ୟପ୍ରକାଶଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରି ଚିକିତ୍ସା କରାଯାଉଥିଲା। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିଥିଲେ।

ଏନେଇ ମଙ୍ଗଳାବାଗ ଥାନାରେ ଏକ ମାମଲା ରୁଜୁ ହୋଇଥିବା ଆଇଆଇସି ସୁଧାଂଶୁ ଶେଖର ଜେନା ସୂଚନା ଦେଇଛନ୍ତି। ଏହି ଘଟଣାକୁ ନେଇ ଚାଉଳିଆଗଞ୍ଜ ଅଞ୍ଚଳରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଥିଲା। ଉତ୍ୟକ୍ତ ଲୋକେ ଏହାର ପ୍ରତିବାଦରେ ଦୀର୍ଘ ସମୟ ଧରି ରାସ୍ତାରୋକୋ କରିଥିଲେ।

ତାଳଦଣ୍ଡା କେନାଲ ରାସ୍ତା ନିର୍ମାଣ ସରିନଥିବା ବେଳେ କିପରି ଗାଡ଼ି ଚଳାଚଳ ନିମନ୍ତେ ଖୋଲାଗଲା ତାହାକୁ ନେଇ ଅଞ୍ଚଳବାସୀ ପ୍ରଶ୍ନ ଉଠାଇଛନ୍ତି। ଅପରପକ୍ଷେ ସ୍ଥାନୀୟ କର୍ପୋରେଟର ମୀନା ସାହୁ ଘଟଣାରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ରାସ୍ତାରେ ବ୍ୟାରିକେଡ୍‌ ଓ ହମ୍ପସ୍‌ ନିର୍ମାଣ ସହ ସିସି କ୍ୟାମେରା ଓ ଆଲୋକ ବ୍ୟବସ୍ଥା କରାଇବାକୁ ସେ ଦାବି କରିଛନ୍ତି। ଜୋନ୍‌-୫ ଏସିପି କୃଷ୍ଣଚନ୍ଦ୍ର ସେଠୀ ଓ ଚାଉଳିଆଗଞ୍ଜ ଥାନା ଆଇଆଇସି ଶଶିକାନ୍ତ ରାଉତ ଘଟଣାସ୍ଥଳରେ ପହଞ୍ଚତ୍ି ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକୋ ହଟିଥିଲା।

ସୂଚନାନୁଯୋଗ୍ୟ, ମୃତ ସତ୍ୟପ୍ରସାଦଙ୍କ ସାନଭାଇ ସ୍ଥାନୀୟ କୁଞ୍ଜବିହାରୀଜୀଉ ହାଇସ୍କୁଲରେ ୬ଷ୍ଠ ଶ୍ରେଣୀରେ ପଢ଼େ। ଗୁରୁବାର ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ଥିଲା। ସକାଳ ପ୍ରାୟ ସାଢ଼େ ୯ଟା ବେଳେ ବଡ଼ ଭାଇ ସତ୍ୟପ୍ରସାଦ ସାନଭାଇକୁ ସ୍କୁଲରେ ଛାଡ଼ିବାକୁ ସାଇକେଲରେ ଯାଉଥିଲେ।

Share