ପ୍ରେମିକଙ୍କୁ ଗଛରେ ବାନ୍ଧି କଲେଜ୍‌ ଛାତ୍ରୀଙ୍କୁ ଗଣବଳାତ୍କାର

ନୟାଗଡ଼/ ଭାପୁର, ୨୬।୧୦(ଲୋକନାଥ ମିଶ୍ର/ ଭରତ କୁମାର ବେହେରା):ନୟାଗଡ଼ ପୋଲିସ ଜିଲାର ଫତେଗଡ଼ ଥାନା ଅନ୍ତର୍ଗତ ପିଠାଖାଇ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ଜଣେ କଲେଜ ଛାତ୍ରୀଙ୍କୁ ଗଣବଳାତ୍କାର କରାଯାଇଛି। ଏହି ସମୟରେ ଛାତ୍ରୀଙ୍କ ପୁରୁଷ ବନ୍ଧୁଙ୍କୁ ଅଭିଯୁକ୍ତମାନେ ଗଛରେ ବାନ୍ଧି ତାଙ୍କ ସାମ୍ନାରେ ଏହି ଜଘନ୍ୟକାଣ୍ଡ ଘଟାଇଛନ୍ତି। ବଳାତ୍କାର ସମୟର ଭିଡିଓକୁ ଭାଇରାଲ କରାଯାଇଥିବାବେଳେ ଅଭିଯୁକ୍ତମାନେ ପୀଡ଼ିତାଙ୍କୁ ଛୁରି ଦେଖାଇ ତାଙ୍କଠାରୁ ୪୮ ଶହ ଟଙ୍କା ଲୁଟି ନେଇଛନ୍ତି। ଏନେଇ ଫତେଗଡ଼ ଥାନାରେ ଶୁକ୍ରବାର ଅଭିଯୋଗ ହେବା ପରେ ପୋଲିସ ବିଏନ୍‌ଏସ୍‌ ଦଫା ୧୨୭(୨), ୭୬, ୩୫୧(୨),୧୧୫(୨), ୩୦୯(୬), ୭୦(୧), ୩(୫) ଆଇଟି ଆକ୍ଟ ଦଫା ୬୬/୬୭ଏ ଅନୁଯାୟୀ ୨୭୬/୨୪ ନମ୍ବରରେ ମାମଲା ରୁଜୁ କରି ୩ ଜଣ ଯୁବକଙ୍କୁ ଅଟକ ରଖି ପଚରାଉଚୁରା କରୁଛି। ଏଭଳିସ୍ଥଳେ ଅଟକ ଅଭିଯୁକ୍ତଙ୍କୁ ଜଣେ ବିଧାୟକ ଖସାଇନେବାକୁ ଉଦ୍ୟମ ଚଳାଇଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ୨୦ ତାରିଖରେ ଭାପୁର ଥାନା ଅଞ୍ଚଳର ଜଣେ ଯୁକ୍ତ୩ ପ୍ରଥମ ବର୍ଷର ଛାତ୍ରୀ ନିଜର ପୁରୁଷ ବନ୍ଧୁଙ୍କ ସହ ଫତେଗଡ଼ ରାମମନ୍ଦିରକୁ ଦର୍ଶନ କରି ସନ୍ଧ୍ୟାରେ ପିଠାଖାଇ ଜଙ୍ଗଲ ରାସ୍ତା ଦେଇ ବାଇକ୍‌ରେ ଘରକୁ ଫେରୁଥିଲେ। ଏହି ସମୟରେ ପିଠାଖାଇର ବୁଲୁ ଲେଙ୍କା, ଭାପୁରର କାହ୍ନା ପ୍ରଧାନ ଓ ସିଲୁ ପ୍ରଧାନ ଛୁରି ଦେଖାଇ ବାଇକ୍‌ ଅଟକାଇଥିଲେ। ଧମକ ଦେଇ ଛାତ୍ରୀଙ୍କୁ ଉଲଗ୍ନ କରିଥିଲେ। ଛାତ୍ରୀଙ୍କ ଫଟୋ ଓ ଭିଡିଓ କରିବାବେଳେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ଓ ଠେଲାପେଲା ହୋଇଥିଲା। ପୁରୁଷ ବନ୍ଧୁଙ୍କୁ ଅଭିଯୁକ୍ତମାନେ ଏକ ଗଛରେ ବାନ୍ଧିଦେବା ସହ ତାଙ୍କ ସାମ୍ନାରେ ଛାତ୍ରୀଙ୍କୁ ଜଣକ ପରେ ଜଣେ ବଳାତ୍କାର କରିଥିଲେ। ବଳାତ୍କାର ପରେ ମଦ ପିଇବା ପାଇଁ ସେମାନେ ପୀଡ଼ିତାଙ୍କୁ ଛୁରି ଦେଖାଇ ତାଙ୍କଠାରୁ ୪୮ଶହ ଟଙ୍କା ଲୁଟି ନେଇଥିଲେ। ଏ ସମ୍ପର୍କରେ କାହାରିକୁ ନ କହିବାକୁ ଧମକ ଦେଇଥିଲେ। ବାପାଙ୍କର ଜ୍ୱର ହୋଇଥିବାରୁ ବଳାତ୍କାର ସମ୍ପର୍କରେ ପୀଡ଼ିତା ଅଭିଯୋଗ କରି ପାରି ନ ଥିଲେ। ଅଶ୍ଳୀଳ ଭିଡିଓ ଭାଇରାଲ ହେବା ପରେ ସେ ଥାନାରେ ଅଭିଯୋଗ କରିଛନ୍ତି। ଏ ନେଇ ଖଣ୍ଡପଡ଼ା ଏସ୍‌ଡିପିଓ ବିମଳ ବାରିକ କହିଛନ୍ତି, ଗଣବଳାତ୍କାର ଅଭିଯୋଗ ଆସିବା ପରେ ୩ ଯୁବକଙ୍କୁ ଅଟକ ରଖାଯାଇ ତଦନ୍ତ ଜାରି ରହିଛି। ବଳାତ୍କାର ମାମଲା ରୁଜୁ ହୋଇଛି। ସମ୍ବେଦନଶୀଳ ଘଟଣା ଯୋଗୁ ଅଧିକ କିଛି କହି ହେବନାହଁି ବୋଲି ସେ କହିଛନ୍ତି।

Share