Categories: ଜାତୀୟ

ହାଇକୋର୍ଟର ୨୪ ବିଚାରପତିଙ୍କ ବଦଳି ପାଇଁ କଲେଜିୟମ୍‌ର ସୁପାରିସ

ନୂଆଦିଲ୍ଲୀ,୧୩।୮(ପି.ଟି.): ଗୁଜରାଟ ହାଇକୋର୍ଟ ବିଚାରପତି ହେମନ୍ତ ଏମ୍‌. ପ୍ରଚ୍ଛକଙ୍କ ସମେତ ବିଭିନ୍ନ ହାଇକୋର୍ଟର ମୋଟ ୨୪ ଜଣ ବିଚାରପତିଙ୍କ ବଦଳି ପାଇଁ ସୁପ୍ରିମକୋର୍ଟ କଲେଜିୟମ୍‌ କେନ୍ଦ୍ର ସରକାରଙ୍କୁ ସୁପାରିସ କରିଛନ୍ତି। ‘ସବୁ ମୋଦି ଚୋର’ ମନ୍ତବ୍ୟ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ତଳକୋର୍ଟରେ ଦୋଷୀସାବ୍ୟସ୍ତ ହୋଇଥିବାବେଳେ ଏହା ଉପରେ ସ୍ଥଗିତାଦେଶ ଦେବାକୁ ଜଷ୍ଟିସ ପ୍ରଚ୍ଛକ ମନା କରିଦେଇଥିଲେ। ନ୍ୟାୟପାଳିକା ପ୍ରଶାସନରେ ଉନ୍ନତି ଲାଗି ହାଇକୋର୍ଟ ବିଚାରପତିମାନଙ୍କ ବଦଳି ନିମନ୍ତେ ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ ସଞ୍ଜୟ କିଷନ କୌଲ, ସଞ୍ଜୀବ ଖାନ୍ନା, ବି.ଆର୍‌. ଗଭାଇ ଏବଂ ସୂର୍ଯ୍ୟକାନ୍ତଙ୍କୁ ନେଇ ଗଠିତ କଲେଜିୟମ୍‌ ଗତ ୩ ତାରିଖ ବୈଠକରେ ନିଷ୍ପତ୍ତି ନେଇଥିଲେ। ବଦଳି ସୁପାରିସ ହୋଇଥିବା ବିଚାରପତିଙ୍କ ମଧ୍ୟରୁ ୪ ଜଣ ଗୁଜରାଟ ହାଇକୋର୍ଟର ହୋଇଥିବାବେଳେ ପଞ୍ଜାବ ହରିୟାଣା ହାଇକୋର୍ଟର ୪ ଜଣ ଏବଂ ଆଲ୍ଲାହାବାଦ ହାଇକୋର୍ଟର ଜଣେ ଅଛନ୍ତି। ଜଷ୍ଟିସ୍‌ ପ୍ରଚ୍ଛକଙ୍କୁ ଗୁଜରାଟରୁ ପାଟନା ହାଇକୋର୍ଟକୁ ବଦଳି ଲାଗି ସୁପାରିସ କରାଯାଇଛି। ପାଟନା ହାଇକୋର୍ଟର ଜଷ୍ଟିସ ସୁଧୀର ସିଂଙ୍କୁ ପଞ୍ଜାବ ଓ ହରିୟାଣା ହାଇକୋର୍ଟର ବିଚାରପତି ଭାବେ ବଦଳି କରିବା ଲାଗି କଲେଜିୟମ ପୁନର୍ବାର ସୁପାରିସ କରିଛନ୍ତି।

Share