Categories: ଜାତୀୟ

କଲେଜିୟମ ବ୍ୟବସ୍ଥା ଦେଶର ଆଇନ

ନୂଆଦିଲ୍ଲୀ,୯।୧୨(ପି.ଟି.):ବିଚାରପତି ନିଯୁକ୍ତି ଲାଗି ରହିଥିବା କଲେଜିୟମ ବ୍ୟବସ୍ଥା ଦେଶର ଆଇନ। ଏହା ବିରୋଧରେ ମନ୍ତବ୍ୟ ଗ୍ରହଣୀୟ ନୁହେଁ ବୋଲି ସୁପ୍ରିମକୋର୍ଟ ଗୁରୁବାର କହିଛନ୍ତି। ଦେଶର ଆଇନକୁ ସମସ୍ତେ ମାନିବା ଲାଗି ବାଧ୍ୟ। ତେଣୁ କଲେଜିୟମ ବ୍ୟବସ୍ଥାକୁ ମାନିନେବାକୁ ହେବ ବୋଲି ସର୍ବୋଚ୍ଚ ଅଦାଲତ ଟିପ୍ପଣୀ ଦେଇଛନ୍ତି। ସାମ୍ବିଧାନିକ ଅଦାଲତଗୁଡ଼ିକରେ ବିଚାରପତି ନିଯୁକ୍ତି ପାଇଁ କଲେଜିୟମ ସୁପାରିସ୍‌ କରିଥିବା ନାମକୁ ମଞ୍ଜୁରୀ ଦେବାରେ କେନ୍ଦ୍ର ସରକାର ବିଳମ୍ବ କରୁଥିବା ନେଇ ଏକ ପିଟିଶନର ଶୁଣାଣି ବେଳେ ସର୍ବୋଚ୍ଚ ଅଦାଲତ ଉପରୋକ୍ତ ମତ ଦେଇଛନ୍ତି। ସରକାରୀ ପଦାଧିକାରୀମାନେ କଲେଜିୟମ ବ୍ୟବସ୍ଥା ବିରୋଧରେ ମନ୍ତବ୍ୟ ଦେବା ଠିକ୍‌ ନୁହେଁ ବୋଲି ଜଷ୍ଟିସ୍‌ ଏସ୍‌.କେ. କୌଲଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଆଟର୍ନି ଜେନେରାଲ ଆର୍‌. ଭେଙ୍କଟରମଣୀଙ୍କୁ କହିଛନ୍ତି।
କଲେଜିୟମ ବ୍ୟବସ୍ଥା ସୁପ୍ରିମକୋର୍ଟ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ଏକ ବଡ଼ ଫ୍ଲାଶପଏଣ୍ଟ ହୋଇଛି। ବିଚାରପତିମାନେ ଅନ୍ୟ ବିଚାରପତିଙ୍କ ନିଯୁକ୍ତି ସ୍ଥିର କରିବା ବ୍ୟବସ୍ଥାକୁ ବିଭିନ୍ନ ମହଲରୁ ସମାଲୋଚନା କରାଯାଇଆସୁଛି। କଲେଜିୟମ ବ୍ୟବସ୍ଥା ସମ୍ବିଧାନ ଅନ୍ତର୍ଭୁକ୍ତ ନୁହେଁ ବୋଲି ଗତ ମାସ ୨୫ ତାରିଖରେ କେନ୍ଦ୍ର ଆଇନମନ୍ତ୍ରୀ କିରେନ୍‌ ରିଜିଜୁ କହିଥିଲେ। ସେହିପରି ଉପରାଷ୍ଟ୍ରପତି ଜଗଦୀଶ ଧନ୍‌କର ବୁଧବାର ରାଜ୍ୟ ସଭାରେ ତାଙ୍କର ପ୍ରଥମ ଉଦ୍‌ବୋଧନରେ ଜାତୀୟ ବିଚାରପତି ନିଯୁକ୍ତି ଆୟୋଗ (ଏନ୍‌ଜେଏସି)କୁ ୨୦୧୫ରେ ସୁପ୍ରିମକୋର୍ଟ ରଦ୍ଦ କରିବା ପ୍ରସଙ୍ଗ ଉଠାଇଥିଲେ। ଏହା ସଂସଦୀୟ ସାର୍ବଭୌମତ୍ୱ ସହ ଗୁରୁତର ସାଲିସ୍‌ ଏବଂ ଜନାଦେଶ ପ୍ରତି ଅବମାନନା ବୋଲି ଧନ୍‌କର କହିଥିଲେ। ସୂଚନାଯୋଗ୍ୟ, କଲେଜିୟମ ସୁପାରିସ କରିଥିବା ୧୯ ବିଚାରପତିଙ୍କ ନାମକୁ କେନ୍ଦ୍ର ସରକାର ଫେରାଇ ଦେଇଛନ୍ତି। ଏଭଳି ଛକାପଞ୍ଝାର କିପରି ସମାଧାନ ହେବ ବୋଲି ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି। କଲେଜିୟମ ବ୍ୟବସ୍ଥା ଥିବା ପର୍ଯ୍ୟନ୍ତ ଏହାକୁ କାର୍ଯ୍ୟକାରୀ କରିବାକୁ ହେବ। ଯଦି ସରକାର ଆଉ ଏକ ଆଇନ ଆଣିବାକୁ ଚାହୁଁଛନ୍ତି, ସେଥିରେ କେହି ବାଧା ଦେବେନାହିଁ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି।

Share