କାଗଜର ରଙ୍ଗରୁ ଜଣାପଡ଼ିବ କରୋନା ସଂକ୍ରମଣ: ଡିସିଜିଆଇ ମଞ୍ଜୁରୀ

ନୂଆଦିଲ୍ଲୀ, ୨୦।୯: କରୋନା ସଂକ୍ରମଣ ହୋଇଛି କି ନାହିଁ ଏବେ ସହଜରେ କେଇ ମିନିଟ ମଧ୍ୟରେ ଜଣାପଡ଼ିଯିବ। କାଗଜ ରଙ୍ଗରୁ କରୋନା ସଂକ୍ରମଣ ସମ୍ପର୍କରେ ଜଣାପଡୁଥିବା ଏକ ଜ୍ଞାନକୌଶଳକୁ ଭାରତୀୟ ଡ୍ରଗ୍‌ ନିୟନ୍ତ୍ରକ(ଡିସିଜିଆଇ)ଙ୍କପକ୍ଷରୁ ଶନିବାର ମଞ୍ଜୁରୀ ମିଳିଛି। ଅନୁମତି ମିଳିବା ପରେ ଏହି କିଟ୍‌ ଏବେ ବଜାରରେ ବିକ୍ରି ହୋଇପାରିବ। ୨୦୨୧ ମେ’ ସୁଦ୍ଧା ଏହି କିଟ୍‌ ବଜାରରେ ମିଳିବ ବୋଲି କୁହାଯାଉଛି। ଏହାର ଦାମ ୫୦୦ ଟଙ୍କା ରହିବ। ମାତ୍ର ୩୦ ମିନିଟ୍‌ରେ କରୋନା ପଜିଟିଭ୍‌ ସମ୍ପର୍କରେ ଏହା ସୂଚନା ଦେବାକୁ ସକ୍ଷମ ହେବ ବୋଲି କୁହାଯାଉଛି। କେତେ ଜଣ ଭାରତୀୟ ଯୁବ ବୈଜ୍ଞାନିକଙ୍କ ଦ୍ୱାରା ଏହି କିଟ୍‌ ପ୍ରସ୍ତୁତ କରାଯାଇଥିବା ପ୍ରଫେସର ଦେବୋଜିତ୍‌ ଚକ୍ରବର୍ତ୍ତୀ ସୂଚନା ଦେଇଛନ୍ତି। ଏହା ଦ୍ୱାରା ଲୋକଙ୍କର ସୁବିଧା ହୋଇ ପାରିବ ବୋଲି ସେ କହିଛନ୍ତି। ଏଣିକି କରୋନା ସଂକ୍ରମଣ ସମ୍ପର୍କରେ ଜାଣିବାକୁ ନମୁନା ପରୀକ୍ଷା ଲାଗି ଆଉ ହସ୍ପିଟାଲ ଯିବାକୁ ପଡ଼ିବ ନାହିଁ। ଲୋକେ ଘରେ ବସି ଏହାର ପରୀକ୍ଷା କରିପାରିବେ। ଏହି କିଟ୍‌କୁ ଫାଲୁଦା ନାମ କରଣ କରାଯାଇଛି। କାଗଜରେ ରାସାୟନିକ ପଦାର୍ଥର ପ୍ରଲେପ ଦିଆଯାଇଛି। କରୋନା ପଜିଟିଭ୍‌ କ୍ଷେତ୍ରରେ କାଗଜରେ ଏକ ଗାର ପଡ଼ିବ ଅନ୍ୟଥା ଏହା ଅପରିବର୍ତ୍ତିତ ରହିବ ବୋଲି ସେ କହିଛନ୍ତି।

Share