ଚମ୍ପୁଆ,୮ା୨(ମହେଶ୍ୱର ଦାସ)କେନ୍ଦୁଝର ଜିଲା ଚମ୍ପୁଆ ଦୈନିକ ବଜାରରେ ଦିନକୁ ଦିନ ରଙ୍ଗିନ କୋବିର ଆଦର ବଢ଼ିବାରେ ଲାଗିଛି। ଏହି କୋବି ବିକ୍ରି କରି ଚାଷୀ ବେଶ ଲାଭବାନ ହୋଇପାରୁଛନ୍ତି। ସାଧାରଣ କୋବିଠାରୁ ଏହି କୋବି ଅଧିକ ସୁଆଦିଆ ଓ ରଙ୍ଗିନ ଦେଖାଯାଉଥିବାରୁ ଗ୍ରାହକମାନେ ଏହାକୁ ପ୍ରଥମ ପସନ୍ଦ ରୂପେ ଗ୍ରହଣ କରୁଛନ୍ତି।
ଚମ୍ପୁଆ ପରିବା ବଜାରରେ ସାଧାରଣ କୋବି ୧୦ରୁ ୨୦ ଟଙ୍କା ଗୋଟା ପ୍ରତି ବିକ୍ରି ହେଉଥିବା ବେଳେ ଗ୍ରୀନ ବା ବ୍ରୋକଲି ଜାତୀୟ କୋବି ୨୦ ରୁ ୩୦ ଟଙ୍କା ଏବଂ କାରେଣ୍ଟିନା (ହଳଦିଆ କୋବି) ୩୦ ରୁ ୪୦ ଟଙ୍କା ଏବଂ ଭାଲେଣ୍ଟିନା (ବାଇଗଣିଆ ରଙ୍ଗ) କୋବିର ଚାହିଦା ବଢ଼ି ବର୍ତ୍ତମାନ ୪୦ ରୁ ୫୦ ଟଙ୍କା ଦରରେ ବିକ୍ରି ହେଉଛି। ସାଧାରଣ କୋବି ଭଳି ୮୦ ରୁ ୯୦ ଦିନ ମଧ୍ୟରେ ଚାଷୀ ଏହାକୁ ଅମଳ କରିପାରୁଥିବା ବେଳେ ଏହାର ମଞ୍ଜି ଅନ୍ୟ କୋବି ତୁଳନାରେ ଅଧିକ ଦାମ ରହିଛି। ସାଧାରଣ କୋବିର ମଞ୍ଜି ୧୦ ଗ୍ରାମକୁ ୫୦୦ ଟଙ୍କା ପଡୁଥିବା ବେଳେ ଭାଲେଣ୍ଟିନା ଓ କାରେଣ୍ଟିନା କୋବିର ମଞ୍ଜି ୨୦୦ଟିକୁ ୩୦୦ ରୁ ୩୫୦ ଟଙ୍କାରେ ମିଳୁଥିବା ଚାଷୀ ପ୍ରକାଶ କରିଛନ୍ତି। ସ୍ଥାନୀୟ ଅଞ୍ଚଳର ଚାଷୀ ଏହି ନୂଆ କୋବି ଚାଷକୁ ପରୀକ୍ଷାମୂଳକ ଭାବେ ଲଗାଇଥିବା ବେଳେ ଚଳିତ ବର୍ଷ ଅଧିକ ଲାଭବାନ ହୋଇଛନ୍ତି।
ଚଳିତ ବର୍ଷ ଭାଲେଣ୍ଟିନା ଓ କାରେଣ୍ଟିନା ଜାତୀୟ ୧୨୦୦ କୋବି ଚାରା ଲଗାଇଥିଲେ। ଏହା ସ୍ଥାନୀୟ ବଜାରରେ ୫୦ ରୁ ୬୦ ଟଙ୍କା ଦରରେ ବିକ୍ରି ହେଉଛି। ଅଗାମୀ ବର୍ଷ ଅଧିକ ଚାରା ଲାଗାଇବେ।
-ଚାଷୀ ସତ୍ୟଜିତ ମହାନ୍ତ
ପ୍ରଥମେ ବଜାରରେ ଏହି ରଙ୍ଗିନ କୋବି ଦେଖି ଗ୍ରାହକଙ୍କ ମଧ୍ୟରେ ଉତ୍ସୁକତା ବଢ଼ିଥିଲେ ମଧ୍ୟ ସେତେଟା ବିକ୍ରି ହେଉ ନ ଥିଲା। ମାତ୍ର ବର୍ତ୍ତମାନ ଏହି କୋବି ବଜାରର ଚାହିଦା ପୂରଣ କରିବାରେ ବିଫଳ ହୋଇଛି। ବଜାରରେ ବିକ୍ରି ସାଙ୍ଗକୁ ଗ୍ରାହକମାନେ ଘରୁ ଯାଇ ମଧ୍ୟ ଏହି କୋବି ନେଇ ଯାଉଛନ୍ତି।
-ଚାଷୀ, ସୁଶୀଲ ମହାନ୍ତ