‘ଘରକୁ ଆସ, ଏକାଠି ବସି ବିବାଦର ସମାଧାନ କରିବା’

ଭୁବନେଶ୍ୱର,୨୯ା୧୦: ଓଲିଉଡ୍‌ରେ ଚାଲିଥିବା ବିବାଦ ନେଇ ରବିବାର ପ୍ରତିକ୍ରିୟା ରଖିଛନ୍ତି ଅଭିନେତା ଅରିନ୍ଦମ ରାୟ। ବିବାଦର ସମାଧାନ ପାଇଁ ସେ ମନୋଜ ମିଶ୍ରଙ୍କୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି, ଘର ଭିତରେ ଥିବା ବିବାଦର ସମାଧାନ ଘରେ କରିବା। ଆମ ଘର କଥାରେ ରାଜନୀତିର କୌଣସି ସ୍ଥାନ ନାହିଁ। ସାମାନ୍ୟ କଳିକୁ ନେଇ ଅଲଗା ହେବା ଅନୁଚିତ। ସାନ ଭାଇ ଭାବେ ଅନୁରୋଧ କରୁଛି ଭାଇ ଆସନ୍ତୁ ବସି ସମାଧାନ କରିବା।

ସେ ଆହୁରି ମଧ୍ୟ କହିଛନ୍ତି, ଆପଣ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଆଗକୁ ନେବାକୁ ଚାହାନ୍ତି, ମୁଁ ମଧ୍ୟ ଚାହୁଁଛି। ଇଣ୍ଡଷ୍ଟ୍ରି ପାଇଁ ଭଲ ସମୟ ଆସିଛି। ଭଲ ନିର୍ମାତା ଆସିଛନ୍ତି, ଆସନ୍ତୁ ଆଗକୁ ନେବା। ଟିଭି ଖୋଲିଲେ ଏହି ବିବାଦ କାନରେ ବାଜୁଛି, ଭଲ ଲାଗୁନି, କଷ୍ଟ ଲାଗୁଛି ବୋଲି ଅରିନ୍ଦମ କହିଛନ୍ତି।

ସୂଚନାଯୋଗ୍ୟ, ଦଶହରାରେ ଅରିନ୍ଦମଙ୍କ ଅଭିନୀତ ଫିଲ୍ମ ‘ରାମ’ ରିଲିଜ ହୋଇଥିଲା। ଉକ୍ତ ଫିଲ୍ମକୁ ସମ୍ବଲପୁରରେ ରିଲିଜ କରାଇ ଦିଆଯାଇ ନ ଥିଲା। ଯେଉଁଥିପାଇଁ ଅଭିନେତା ମନୋଜ ମିଶ୍ରଙ୍କ ପାଇଁ ପଶ୍ଚିମ ଓଡ଼ିଶାରେ ଫିଲ୍ମ ବୟକଟ କରାଯାଇଥିବା ଅଭିଯୋଗ ହୋଇଥିଲା। ଫଳରେ ମନୋଜଙ୍କୁ ଦୁଇବର୍ଷ ପାଇଁ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିରୁ ବାସନ୍ଦ କରାଯାଇଥିଲା। ଏହା ପରେ ବିବାଦ ବଢ଼ିଛି।

Share