ଭାଜପା ବିଧାୟକଙ୍କ ଧମକ ପରେ ଶୋ’ ବାତିଲ କଲେ ହାସ୍ୟ ଅଭିନେତା

ହାଇଦ୍ରାବାଦ, ୩୦।୬: ଷ୍ଟାଣ୍ଡ୍‌ଅପ୍‌ ହାସ୍ୟ ଅଭିନେତା ଡାନିଏଲ ଫର୍ନାଡିଜ୍‌ ରବିବାର ହାଇଦ୍ରାବାଦରେ ହେବାକୁ ଥିବା ତାଙ୍କର ଶୋ’କୁ ସୁରକ୍ଷାଜନିତ କାରଣରୁ ବାତିଲ କରିଛନ୍ତି। ହାଇଦ୍ରାବାଦରେ ଡାନିଏଲଙ୍କୁ ଷ୍ଟାଣ୍ଡ ଅପ୍‌ କମେଡି ଶୋ କରାଇଦିଆଯିବ ନାହିଁ ବୋଲି ପୂର୍ବରୁ ସ୍ଥାନୀୟ ଘୋଶାମହଲ ନିର୍ବାଚନମଣ୍ଡଳୀର ଭାଜପା ବିଧାୟକ ଟି. ରାଜା ଧମକ ଦେଇଥିଲେ। ଡାନିଏଲ ତାଙ୍କ ପୂର୍ବ ଶୋ’ରେ ଜୈନ ସମ୍ପ୍ରଦାୟକୁ ନେଇ ଥଟ୍ଟା ଓ ପରିହାସ କରିଥିବା ଅଭିଯୋଗ କରି ରାଜା ସିଂଙ୍କ ପକ୍ଷରୁ ଡାନିଏଲଙ୍କୁ ଏହି ଧମକ ଦିଆଯାଇଥିଲା। ବିଧାୟକ ରାଜା ସିଂ ଏକ ଭିଡିଓ ମେସେଜ ଜାରି କରି ପୂର୍ବରୁ କହିଥିଲେ, ଯଦି ଡାନିଏଲ ରବିବାର ନିଜ ଶୋ’କୁ ରଦ୍ଦ ନ କରନ୍ତି ତେବେ ତାଙ୍କ ସମର୍ଥକମାନେ ଜବରଦସ୍ତ ଏହାକୁ ବନ୍ଦ କରାଇବେ।
ତେବେ ସମ୍ପୂର୍ଣ୍ଣ ଘଟଣାକୁ ନେଇ ରବିବାର ଡାନିଏଲ ନିଜ ପ୍ରଶଂସକଙ୍କ ଉଦ୍ଦେଶ୍ୟରେ ଏକ ଭିଡିଓ ମେସେଜ ଜାରି କରିଛନ୍ତି। ତାଙ୍କୁ, ତାଙ୍କ ଟିମ୍‌ ଓ ଦର୍ଶକଙ୍କୁ ସୁରକ୍ଷା ଯୋଗାଇଦେବାକୁ ସ୍ଥାନୀୟ ପୋଲିସ ପକ୍ଷରୁ ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ନ ମିଳିବାରୁ ସେ ରବିବାର ହାଇଦ୍ରାବାଦରେ ହେବାକୁ ଥିବା ତାଙ୍କ ଶୋ’କୁ ବାତିଲ କରିବାକୁ ବାଧ୍ୟ ହୋଇଥିବା କହିଛନ୍ତି। ତାଙ୍କର ପୂର୍ବ ଶୋ’ରେ ଜୈନ ଧର୍ମକୁ ନେଇ ସେ ଦେଇଥିବା କିଛି ମନ୍ତବ୍ୟକୁ ଭିତ୍ତି କରି ଅଶାନ୍ତି ଦେଖାଦେଇଥିଲା, ତେଣୁ ଏଥିପାଇଁ ସେ କ୍ଷମାପ୍ରାର୍ଥନା କରିବା ସହ ଉକ୍ତ ଭିଡିଓକୁ ଡିଲିଟ୍‌ କରିଦେଇଥିଲେ। ଏହାସତ୍ତ୍ୱେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କୁ ଧମକପୂର୍ଣ୍ଣ ଓ ହିଂସାତ୍ମକ କଲ୍‌ ଓ ଇମେଲ ଆସୁଥିବା ଡାନିଏଲ କହିଛନ୍ତି। ତେବେ ସୁରକ୍ଷା ଜନିତ କାରଣରୁ ଡାନିଏଲଙ୍କ ଷ୍ଟାଣ୍ଡ୍‌ଅପ୍‌ କମେଡି ଶୋ’ ରଦ୍ଦ ନେଇ ହାଇଦ୍ରାବାଦ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Share