ଆଉନାହାନ୍ତି ହାସ୍ୟ ଅଭିନେତା ଜଗବନ୍ଧୁ ରାଉତ

ଭୁବନେଶ୍ୱର,୨୭।୪(ବ୍ୟୁରୋ): ଯାତ୍ରା ଜଗତର ବର୍ଷିଆନ ହାସ୍ୟ କଳାକାର ଜଗବନ୍ଧୁ ରାଉତ ଓରଫ ଜଗାବୁଢ଼ାଙ୍କ କରୋନାରେ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା। ଜଗବନ୍ଧୁ କରୋନାରେ ଆକ୍ରାନ୍ତ ହୋଇ ମେଡିକାଲରେ ଚିକିତ୍ସାଧୀନ ଥିଲେ। ଯାତ୍ରା ଜଗତର ଆଗଧାଡ଼ିର ହାସ୍ୟ କଳାକାର ଭାବେ ସେ ନିଜର ପରିଚୟ ସୃଷ୍ଟି କରିଥିଲେ। ତାଙ୍କ ବିୟୋଗରେ ଯାତ୍ରା ପ୍ରେମୀଙ୍କ ମଧ୍ୟରେ ଶୋକ ଛାୟା ଖେଳି ଯାଇଛି।
ପୁରୀ ଜିଲ୍ଲା ବଳଙ୍ଗା କାଳିଆପଦା ଗାଁରେ ଜନ୍ମଗ୍ରହଣ କରିଥିଲେ ଜଗା ରାଉତ। ପିଲା ବେଳୁ ଥିଲା କଳା ପ୍ରତି ଦୁର୍ବଳତା। ସେଥିପାଇଁ ପାଠ ପାରେ ଡୋରୀ ବାନ୍ଧି ମଞ୍ଚରେ ଅଭିନୟ କରିବାକୁ ଆସିଥିଲେ। ୧୯୫୮ ମସିହାରେ ଯାତ୍ରାରେ ପେଶାଦାର ଜୀବନ ଆରମ୍ଭ କରିଥିଲେ। ତେବେ ୧୯୬୮ ମସିହାରେ ସାତଶଙ୍ଖ ଗଣନାଟ୍ୟରେ ଯୋଗଦେବା ପରେ ତାଙ୍କୁ ସଫଳତା ମିଳିଥିଲା।
ସାତସଙ୍ଖ, କୋଣାର୍କ, କଳିଙ୍ଗ ଗଣନାଟ୍ୟରେ ସେ କାମ କରିଥିଲେ। ଦୀର୍ଘ ୬୨ ବର୍ଷର ଅଭିନୟ ଭିତରେ ଯାତ୍ରା ଜଗତ ପ୍ରତି ତାଙ୍କର ଅତୁଳନୀୟ ଅବଦାନ ରହିଛି।

Share