ନୂଆଦିଲ୍ଲୀ,୧୪।୧୨: କଂଗ୍ରେସର ଭାରତ ଯୋଡୋ ଯାତ୍ରା ବର୍ତ୍ତମାନ ରାଜସ୍ଥାନ ଦେଇ ଯାଉଛି। ବୁଧବାର ହାସ୍ୟ ଅଭିନେତା କୁନାଲ କାମ୍ରା ଏହି ଯାତ୍ରାରେ ଭାଗ ନେଇଥିଲେ। ସେ ରାହୁଲ ଗାନ୍ଧୀଙ୍କ ସହ ପଦଯାତ୍ରା କରିଥିଲେ। କଂଗ୍ରେସର ଏହି ପଦଯାତ୍ରା ୨୧ ଡିସେମ୍ବରରେ ହରିୟାଣାରେ ପ୍ରବେଶ କରିବା ପୂର୍ବରୁ ରାଜସ୍ଥାନରେ ୧୭ ଦିନରେ ପ୍ରାୟ ୫୦୦ କିଲୋମିଟର ଦୂରତା ଅତିକ୍ରମ କରିବ। ଏହି ଯାତ୍ରା ତାମିଲନାଡୁର କନ୍ୟାକୁମାରୀରୁ ୭ ସେପ୍ଟେମ୍ବରରେ ଆରମ୍ଭ ହୋଇଥିଲା।
କୁନାଲ ଏବଂ ରାହୁଲ ଗାନ୍ଧୀଙ୍କ ଫଟୋ ଶେୟାର କରି କଂଗ୍ରେସ ଲେଖିଛି, ଏହି ଭିଡ଼ ଭିତରେ ଭାରତ ଅଛି, ଆମେ ଏକାଠି ଯିବା, ଏକତାର ପତାକା ଉତ୍ତୋଳନ କରିବା। ବୁଧବାର, ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ନର ରଘୁରାମ ରାଜନ ମଧ୍ୟ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରାରେ ଭାଗ ନେଇଥିଲେ। ଏହି ଯାତ୍ରା ବୁଧବାର ସୱାଇ ମାଧୋପୁରରୁ ଆରମ୍ଭ ହୋଇଥିଲ।
କଂଗ୍ରେସର ଭାରତ ଯୋଡୋ ଯାତ୍ରା ଶୁକ୍ରବାର ୧୦୦ ଦିନ ପୂରଣ କରୁଛି ଏବଂ ଏହି ଅବସରରେ ରାଜ୍ୟ ରାଜଧାନୀ ଜୟପୁରରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ‘ଭାରତ ଯୋଡୋ କନ୍ସର୍ଟ’ ଆୟୋଜିତ ହେବ। ରାଜସ୍ଥାନ ପରେ ହରିୟାଣାରେ ପ୍ରବେଶ କରିବ। ଏହି ଯାତ୍ରା ଫେବୃଆରୀ ଆରମ୍ଭରେ ଜମ୍ମୁ କଶ୍ମୀରରେ ଶେଷ ହେବ।