କମେଡିଆନ୍‌ ସୁନୀଲ ଗ୍ରୋଭରଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ଲୋକପ୍ରିୟ ଟିଭି ଶୋ ‘କପିଲ ଶର୍ମା ଶୋ’ରେ ‘ଡଃ ଗୁଲାଟି’ ଭୂମିକାରେ ଲୋକଙ୍କ ହୃଦୟରେ ରାଜ କରିଥିବା ଅଭିନେତା ତଥା କମେଡିଆନ୍‌ ସୁନୀଲ ଗ୍ରୋଭର ଆଜି ୪୬ ବର୍ଷରେ ପଦାର୍ପଣ କରିଛନ୍ତି। ସୁନୀଲ କେତେବେଳେ ‘ଗୁଥୀ’ ତ ଆଉ କେତେବେଳେ ‘ସାନ୍ତୋଶୀ ଭାବି’ ହୋଇ ଦର୍ଶକଙ୍କ ମନୋରଞ୍ଜନ କରିଥିଲେ। ଆଜି ସେ ଇଣ୍ଡଷ୍ଟ୍ରିର ଶ୍ରେଷ୍ଠ ହାସ୍ୟ ଅଭିନେତାମାନଙ୍କ ମଧ୍ୟରେ ଗଣିତ। କିନ୍ତୁ ତାଙ୍କ କ୍ୟାରିୟରର ପ୍ରାରମ୍ଭିକ ପର୍ଯ୍ୟାୟରେ ତାଙ୍କୁ ଅନେକ ସଂଘର୍ଷର ସମ୍ମୁଖୀନ ହେବାକୁ ପଡିଥିଲା। ତାଙ୍କର ପ୍ରଥମ ରୋଜଗାର ମାତ୍ର ୫୦୦ ଟଙ୍କା ଥିଲା।
ଅଗଷ୍ଟ ୩, ୧୯୭୭ରେ ହରିୟାଣାର ଏକ ଛୋଟ ଗାଁରେ ଜନ୍ମ ହୋଇଥିବା ସୁନୀଲ ପିଲାଦିନରୁ ଚଳଚ୍ଚିତ୍ରକୁ ଭଲ ପାଉଥିଲେ। ସେ ଅମିତାଭ ବଚ୍ଚନ ଏବଂ ଶାହରୁଖ ଖାନଙ୍କ ପରି କିମ୍ବଦନ୍ତୀ ତାରକା ହେବାକୁ ଇଚ୍ଛା କରିଥିଲେ। ସେ ନବମ ଶ୍ରେଣୀରେ ପଢୁଥିବାବେଳେ ପିତା ତାଙ୍କୁ ତବଲା ଶିଖିବା ପାଇଁ ପଠାଇଥିଲେ। ବଡ ହେବା ପରେ ଥିଏଟରରେ କାମ କରିଥିଲେ।
ମୁଁ ଅଭିନୟରେ ଭଲ ଥିଲି ଏବଂ ଲୋକଙ୍କୁ ବହୁତ ହସାଉଥିଲି। ମୋର ମନେ ଅଛି ଯେତେବେଳେ ମୁଁ ଦ୍ୱାଦଶ ଶ୍ରେଣୀରେ ଥିଲି, ମୁଁ ଏକ ନାଟକରେ ଭାଗ ନେଇଥିଲି । ମାଷ୍ଟର୍ସ ଡିଗ୍ରୀ କରିବା ପରେ ମୁଁ ଅଭିନୟ କରିବା ପାଇଁ ମୁମ୍ବାଇ ଆସିଥିଲି। କିନ୍ତୁ ପ୍ରଥମ ବର୍ଷ ପାଇଁ ମୁଁ କେବଳ ପାର୍ଟି କରିଥିଲି । ସେତେବେଳେ େଛୋଟମୋଟ କାମ କରି ୫୦୦ ଟଙ୍କା ରୋଜଗାର କରୁଥିଲି। ମୁଁ ନିଶ୍ଚିତ ଭାବରେ ସଫଳତା ପାଇବି ବୋଲି ଆଶାବାଦୀ ଥିଲି। ପରେ ଟିଭି ଏବଂ ରେଡିଓରେ କାମ କଲି। ବିଭିନ୍ନ ମଞ୍ଚରେ କମେଡି କରିବାକୁ ମୁଁ ପସନ୍ଦ କରେ ବୋଲି କହନ୍ତି ସୁନୀଲ ଗ୍ରୋଭର।
ସୁନୀଲ ଗ୍ରୋଭର ୧୯୮୮ରେ ଫିଲ୍ମ ‘ପ୍ୟାର ତୋ ହୋନା ହା ଥା’ ସହିତ ଡେବ୍ୟୁ କରିଥିଲେ। ଏହା ପରେ ସେ ‘ଦି ଲିଜେଣ୍ଡ ଅଫ ଭଗତ ସିଂ’, ‘ମେଁ ହୁନ ନା’, ‘ଗଜନି’, ‘ଜିଲା ଗାଜିଆବାଦ’, ‘ଗବର ଇଜ୍‌ ବ୍ୟାକ୍‌’, ‘ବାଗୀ’ ଏବଂ ‘ଭାରତ’ରେ ଅଭିନୟ କରିଥିଲେ। ଏହା ବ୍ୟତୀତ ସେ ଅନେକ ୱେବ ସିରିଜରେ ମଧ୍ୟ କାମ କରିଛନ୍ତି। ସେ ପ୍ରସିଦ୍ଧ ଟିଭି କମେଡି ଶୋ ଦି କପିଲ ଶର୍ମା ଶୋ’ରୁ ଅନେକ ପ୍ରଶଂସା ସାଉଁଟି ଥିଲେ। ସୁନୀଲ ଏକ ବିଳାଶପୂର୍ଣ୍ଣ ଜୀବନ ବିତାଉଛନ୍ତି। ସେ ଏବେ ୨୪ କୋଟି ଟଙ୍କାର ମାଲିକ।

Share