ସୂର୍ଯ୍ୟକୁ ପରିକ୍ରମା କରିବା ପରେ ଲଞ୍ଜାତାରାଟି ନିଜ କକ୍ଷ ପଥରେ କ୍ରମଶଃ ଦୂରକୁ ଚାଲିଯାଏ ଏବଂ ଅନ୍ତର୍ଗ୍ରହୀୟ ଶୀତଳତାରେ ପୂର୍ବୋକ୍ତ ପ୍ରକ୍ରିୟା ସବୁ ଶାନ୍ତ ଓ ସ୍ତିମୀତ ହୋଇଯାଏ। ଫଳରେ ଏହାର କମା ଓ ଲାଞ୍ଜ ହ୍ରାସ ପାଇ କ୍ରମଶଃ ନିଶ୍ଚିହ୍ନ ହୋଇଯାଏ ଏବଂ ଖାଲି ଆଖିକୁ ଆଉ ଦେଖାଯାଏ ନାହିଁ। ଲଞ୍ଜାତାରାଟି ପୁଣି ଫେରିଯାଏ ନିଜର ଚିରାଚରିତ ବାସସ୍ଥାନ ସୌରଜଗତ ଉପାନ୍ତର ସେହି ସୁଦୂର ଥଣ୍ଡା ଓ ନିରନ୍ଧ୍ର ଅନ୍ଧକାର ଅଞ୍ଚଳକୁ। ଏଭଳି ଧୂମକେତୁ ଆମ ସୌରଜଗତକୁ ସାଧାରଣତଃ ଶହେ ବର୍ଷରୁ ଊର୍ଦ୍ଧ୍ୱ ସମୟାନ୍ତରରେ ଆସୁଥିବାରୁ ଏଗୁଡ଼ିକୁ ‘ଦୀର୍ଘ ଆବର୍ତ୍ତି କାଳ’ ବିଶିଷ୍ଟ ଧୂମକେତୁ କହନ୍ତି। ଅତୀତରେ ୧୮୧୧, ୧୮୪୩, ୧୮୬୧ ଏବଂ ୧୮୮୨ରେ ଦେଖାଯାଇଥିବା ଅତ୍ୟୁଜ୍ଜ୍ୱଳ ଧୂମକେତୁ ତଥା ୧୮୫୮ରେ ‘ଡୋନାତି’, ୧୯୧୦ର ଦିବାଲୋକରେ ଦୃଷ୍ଟ ‘ଓ୍ବେଷ୍ଟ’ ଆଦି ଏହି ଶ୍ରେଣୀୟ। ମାତ୍ର ଅନ୍ୟ କେତେକ ପିଣ୍ଡ ଗ୍ରହରାଜ ବୃହସ୍ପତିର ପାଖ ଦେଇ ଯିବାବେଳେ ଏହା ନିଜର ପ୍ରଚଣ୍ଡ ମାଧ୍ୟାକର୍ଷଣ ବଳରେ ଧୂମକେତୁଟି ନିଜ କକ୍ଷ ପଥରେ ଅନେକ ଥର ଏଭଳି ଆକର୍ଷଣର ସମ୍ମୁଖୀନ ହେଲେ ଏହାର ଗତି କ୍ରମେ ମନ୍ଥର ହୋଇଯାଏ। ତା’ସହ ଆଉ ଦୂରକୁ ଯାଇ ନ ପାରି ପାଖାପାଖି ନେପ୍ଚୁନ୍ ଗ୍ରହ ନିକଟରୁ ଫେରିଆସେ। ଏଭଳି ଧୂମକେତୁ ଆମ ଆକାଶକୁ ଶହେ ବର୍ଷରୁ କମ୍ ସମୟାନ୍ତରରେ ଫେରୁଥିବାରୁ ଏଗୁଡ଼ିକୁ ‘ସ୍ବଳ୍ପ ଆବର୍ତ୍ତି କାଳ’ ବିଶିଷ୍ଟ ଧୂମକେତୁ କହନ୍ତି। ଧୂମକେତୁରୁ ଏଙ୍କେ, କପଫ ତଥା ବହୁଚର୍ଚ୍ଚିତ ହ୍ୟାଲି ଲଞ୍ଜାତାରା ଏହି ଜାତିର ଅଟନ୍ତି।
(ଶେଷ ଭାଗ)
-ନିକୁଞ୍ଜ ବିହାରୀ ସାହୁ, ଏଜୁକେଶନ ଅଫିସର, ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର, ଭୋପାଳ, ମଧ୍ୟପ୍ରଦେଶ, ମୋ: ୮୯୧୭୬୩୭୯୭୪