ଓଡ଼ିଶା ଆକାଶରେ ଧୂମକେତୁ: ୬,୮୦୦ ବର୍ଷ ପରେ ପୁଣିଥରେ ଆସିବ

ଭୁବନେଶ୍ୱର,୨୦।୭(ବ୍ୟୁରୋ): ଜୁଲାଇ ୧୬ରୁ ୧୮ ତାରିଖ ମଧ୍ୟରେ ରାଜ୍ୟର ମେଘମୁକ୍ତ ଥିବା କେତେକ ସ୍ଥାନରେ ସନ୍ଧ୍ୟାରେ ଅଳ୍ପସମୟ ପାଇଁ ‘ସି/୨୦୨୦ ଏଫ୍‌-୩’ ଧୂମକେତୁ ଦେଖିବାକୁ ମିଳିଛି। ସାଧାରଣ ଦୂରବୀକ୍ଷଣ ଏବଂ ବାଇନାକୁଲାରରେ ଏହା ଦେଖାଯାଇଥିଲା। ଭୁବନେଶ୍ୱରରୁ ଏହି ଧୂମକେତୁକୁ ପ୍ଲାନେଟାରିୟମ୍‌ର କିଛି କର୍ମଚାରୀ ଦେଖିବାକୁ ପାଇଥିଲେ। ସେହିଭଳି ରାଜ୍ୟର ଅନ୍ୟକେତେକ ସ୍ଥାନରେ ମଧ୍ୟ ଏହି ଧୂମକେତୁ ଦେଖାଯାଇଥିବା ସୂଚନା ମିଳିଛି। ପୂର୍ବରୁ ଆକଳନ କରାଯାଇଥିବା ଧୂମକେତୁର ଉଜ୍ଜ୍ୱଳତା ବର୍ତ୍ତମାନ ଦେଖାଯାଇଥିବା ଧୂମକେତୁ ଠାରୁ ଅଳ୍ପ ଅଧିକ ରହିଥିବା କିଛି ଜ୍ୟୋତିର୍ବିଜ୍ଞାନୀ କହିଛନ୍ତି। ତେଣୁ ଏହା ଅଧିକ ଦିନ ପର୍ଯ୍ୟନ୍ତ ଦେଖାଯାଇପାରେ ବୋଲି ଅନୁମାନ କରାଯାଉଛି। ଜୁଲାଇ ୨୨ତାରିଖରେ ୧୦.୩ କୋଟି କିଲୋମିଟର ଦୂରତାରେ ଏହା ପୁଣିଥରେ ପୃଥିବୀର ନିକଟତମ ଅବସ୍ଥାକୁ ଆସିବ। ୨୦ରୁ ୨୪ତାରିଖ ମଧ୍ୟରେ ଏହି ଧୂମକେତୁ ସ୍ପଷ୍ଟଭାବେ ଏପରି କି ଖାଲି ଆଖିରେ ମଧ୍ୟ ଦେଖାଯିବ ବୋଲି ପଠାଣି ସାମନ୍ତ ପ୍ଲାନେଟାରିୟମ୍‌ ଉପନିର୍ଦ୍ଦେଶକ ଡ. ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି।
୨୦ ତାରିଖ ସନ୍ଧ୍ୟା ୭ଟା ୩୦ରେ ଉତ୍ତର-ପଶ୍ଚିମ ଦିଗ୍‌ବଳୟର ପ୍ରାୟ ୧୪ ଡିଗ୍ରୀ ଉପରେ ଏହା ସପ୍ତର୍ଷିମଣ୍ଡଳର ତଳକୁ ଦେଖାଯିବ। ପରେ ଧୀରେ ଧୀରେ ତଳଆଡ଼କୁ ଗତିକରି ପ୍ରାୟ ୩୦ମିନିଟ ପରେ ଅସ୍ତ ହୋଇଯିବ। ପରବର୍ତ୍ତୀ ଦିନଗୁଡ଼ିକରେ ଏହା ଏକା ସମୟ ଅର୍ଥାତ୍‌ ସନ୍ଧ୍ୟା ୭ଟା ୩୦ରେ ପୂର୍ବଦିନଠାରୁ ୩ ଡିଗ୍ରୀ ଉପରେ ଦେଖାଯିବ ଓ ଅସ୍ତହେବାକୁ ୧୦ରୁ ୧୨ମିନିଟ ଅଧିକ ସମୟ ନେବ। ଧୀରେ ଧୀରେ ଉପରକୁ ଉପରକୁ ଦେଖାଯାଇ ୨୩ତାରିଖରେ ୨୪ଡିଗ୍ରୀ ଓ ମାସ ଶେଷବେଳକୁ ଦିଗ୍‌ବଳୟର ପ୍ରାୟ ୪୦ଡିଗ୍ରୀ ଉପରେ ପହଞ୍ଚତ୍ବ। ତେବେ ଉଜ୍ଜ୍ୱଳତା କମିଯିବା ଫଳରେ ଜୁଲାଇ ୩୦ପରେ ଏହା ଖାଲି ଆଖିକୁ ଦେଖାଯିବନାହିଁ। ‘ସି/୨୦୨୦ ଏଫ୍‌-୩’ ଧୂମକେତୁ ପୁଣିଥରେ ୬,୮୦୦ ବର୍ଷ ପରେ ଆମ ପାଖକୁ ଆସିବ ବୋଲି ପଟ୍ଟନାୟକ କହିଛନ୍ତି। ଉତ୍ତର-ପଶ୍ଚିମ ଦିଗ୍‌ବଳୟ ମେଘ, ଧୂଳି ଓ ସହର ଆଲୋକରୁ ମୁକ୍ତ ରହିଲେ ଧୂମକେତୁଟି ଜୁଲାଇ ୨୦ରୁ ୨୩ ତାରିଖ ଭିତରେ ଖାଲି ଆଖିରେ ଦେଖିବାର ସବୁଠାରୁ ଭଲ ସମୟ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଜୁଲାଇ ୨୦ରୁ ୨୫ତାରିଖ ସୂର୍ଯ୍ୟୋଦୟର ପ୍ରାୟ ୫୦ମିନିଟ୍‌ ପୂର୍ବରୁ ଆକାଶରେ ଚନ୍ଦ୍ର ଏବଂ ୫ଟି ଗ୍ରହ ଦେଖାଯିବ। ବୁଧ, ଶୁକ୍ର, ମଙ୍ଗଳ, ବୃହସ୍ପତି ଓ ଶନି ଗ୍ରହକୁ ଏହି ସମୟରେ ଖାଲି ଆଖିରେ ଦେଖିହେବ। ସୂର୍ଯ୍ୟୋଦୟର ଏକଘଣ୍ଟା ପୂର୍ବରୁ ବୁଧ ଗ୍ରହ ଆକାଶରେ ଶୁକ୍ର ଗ୍ରହ ପାଖରେ ଦେଖାଯିବ। ଜୁଲାଇ ମାସରେ ଗୋଟିଏ ରାତିରେ ୫ଟି ଯାକ ଗ୍ରହ ଖାଲିଆଖିରେ ଦେଖିହେବ ବୋଲି ପଠାଣି ସାମନ୍ତ ପ୍ଲାନେଟାରିୟମ୍‌ ଉପନିର୍ଦ୍ଦେଶକ ଡ. ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି।

Share