ରାତିରେ ଆସୁଛି ନେଇଯାଉଛି ବାଛୁରୀଙ୍କ ଜୀବନ, ଗାଁରେ କୋକୁଆ ଭୟ

ପାପଡ଼ାହାଣ୍ଡି/ମଇଦଲପୁର,୮।୨: ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ଗାଦବାକତରା ଅଞ୍ଚଳରେ କଲରାପତରିଆ ବାଘ ଆତଙ୍କ ଦେଖାଦେଇଛି। ୨ ଦିନ ମଧ୍ୟରେ ଗ୍ରାମର ୩ ଜଣଙ୍କ ଗୁହାଳରୁ ୩ଟି ବାଛୁରୀ ଖାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହାକୁ ନେଇ ଗ୍ରାମରେ ଭୟର ବାତାବରଣ। ସନ୍ଧ୍ୟା ହେଲେ ଘରର ତାଟିକବାଟ ଦେଇ ଲୋକେ ରହୁଛନ୍ତି। ଖବର ପାଇ ମଇଦଲପୁର ବନ ବିଭାଗର ଏକ ଟିମ୍‌ ସୋମବାର ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ମଇଦଲପୁରରୁ ୮ କି.ମି. ଦୂରରେ ଗାଦବାକତରା ଗାଁ। ୬ ତାରିଖରେ ଗ୍ରାମର ନରହରି ହରିଜନଙ୍କ ବାଛୁରୀ ରାତିରେ ନିଖୋଜ ହୋଇଯାଇଥିଲା। ପରିବାର ଲୋକେ ଚାରିଆଡ଼େ ଖୋଜାଖୋଜି କରିବା ପରେ ବାଛୁରୀର କିଛି ଦେହାବ ଶେଷ ପାଇଥିଲେ। ଲୋକେ ବାଘ ସନ୍ଦେହ କରି ବନ ବିଭାଗକୁ ଖବର ଦେଇଥିଲେ। ସେହିପରି ରବିବାର ରାତିରେ ହରିହର ସାହୁ ଓ ପୂର୍ଣ୍ଣ ନାୟକ ଏକ ଜରୁରୀ କାମରେ ତୁମ୍ଭର୍ଲା ଯାଇ ଫେରିବା ସମୟରେ ଗ୍ରାମ ନିକଟ ପୋଲ ପାଖରେ କଲରାପତରିଆ ବାଘ ବୁଲୁଥିବା ଦେଖିଥିଲେ। ଦୁହେଁ ଗ୍ରାମବାସୀଙ୍କୁ ଏ ସମ୍ପର୍କରେ ଜଣାଇଥିଲେ। ସମସ୍ତେ ଏକାଠି ହୋଇ ସେଠାରେ ପାଟି କରିବାରୁ ବାଘଟି ଜଙ୍ଗଲକୁ ଚାଲିଯାଇଥିଲା ବୋଲି ଗ୍ରାମବାସୀ କହିଛନ୍ତି। ଉକ୍ତ ରାତିରେ ଦୁର୍ଯ୍ୟୋଧନ ହରିଜନ ଓ ଲାଇବାନ ହରିଜନଙ୍କ ଗୋଟିଏ ଲେଖାଏ ବାଛୁରୀ ପୁଣି ଗୁହାଳରୁ ଉଭାନ ହୋଇଯାଇଥିଲା। ଖୋଜାଖୋଜି କରିବା ପରେ ସେମାନଙ୍କ ମୁଣ୍ଡ ଓ ଗୋଡ଼ ମିଳିଥିଲା। ଖବରପାଇ ଡାବୁଗାଁ ରେଞ୍ଜର ସୁମତି ଗମାଙ୍ଗ, ଫରେଷ୍ଟର ଉମାକାନ୍ତ ପଟ୍ଟନାୟକ ଓ କର୍ମଚାରୀ ଗାଁରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛନ୍ତି। ବାଛୁରୀଗୁଡ଼ିକର ଦେହାବଶେଷକୁ ପୋତାଯାଇଛି। ଗାଁର ଏକ ଜମିରେ ବାଘର ପାଦଚି଼ହ୍ନ ଦେଖିବାକୁ ମିଳିଛି। ଲୋକେ ଆତଙ୍କିତ ନ ହେବାକୁ ଫରେଷ୍ଟର ଉମାକାନ୍ତ ପଟ୍ଟନାୟକ କହିଛନ୍ତି।

Share