କାମାକ୍ଷାନଗର, ୬।୫(ଡି.ଏନ୍.ଏ.): ଯେଉଁ ଗାଡ଼ିର ଇଏମ୍ଆଇ କିସ୍ତି ଦେବାକୁ ଆସୁଥିଲେ ସେହି ଗାଡ଼ି ଦୁର୍ଘଟଣାରେ ଲିଭିଗଲା ଦାଦା, ପୁତୁରାଙ୍କ ଜୀବନ ଦୀପ। ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ଥାନା ବନ୍ଦାଣିଆ ଛକ ନିକଟରେ ଶୁକ୍ରବାର ପୂର୍ବାହ୍ନରେ ଘଟିଛି ଏଭଳି ଏକ ଦୁଃଖଦ ଦୁର୍ଘଟଣା। ମୃତକ ହେଲେ ଯାଜପୁର ଜିଲା କାଳିଆପାଣି ଥାନା ଟାଟା ମାଇନ୍ସ ମହ୍ଲାର ସାହିର ଡୁଗୁ ମାଙ୍କଡ଼ିଆ (୨୨) ଏବଂ ତାଙ୍କ ସମ୍ପର୍କୀୟ ପୁତୁରା ସିଦ୍ଧାନ୍ତ ମାଙ୍କଡ଼ିଆ (୧୮)।
ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଡୁଗୁ ଏବଂ ସିଦ୍ଧାନ୍ତ ଏକ ବାଇକ୍ (ନଂ. ଓଡ଼ି ୦୬ ଏଲ୍ ୬୧୧୩)ର ଋଣ କିସ୍ତି ଅର୍ଥ ପୈଠ କରିବା ପାଇଁ କାମାକ୍ଷାନଗର ଆସୁଥିଲେ। ତେବେ ବନ୍ଦାଣିଆ ଛକରେ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତାପାର୍ଶ୍ୱରେ ଥିବା ଏକ ଗଛରେ ପିଟି ହୋଇଯାଇଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ସେମାନଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ ଡାକ୍ତର ମୃତ ଘୋଷଣା କରିଥିଲେ। ସୂଚନା ପାଇ କଙ୍କଡ଼ାହାଡ଼ ପୋଲିସ ପହଞ୍ଚତ୍ ଦୁର୍ଘଟଣାଗ୍ରସ୍ତ ବାଇକ୍ ଜବତ କରିଛି। ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଛି। ଏ ନେଇ ନଂ. ୭୭/୨୩ରେ ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ ଚଳାଇଛି।