ନୂଆବର୍ଷ ପୂର୍ବରୁ କର୍ମଚାରୀଙ୍କ ମନରେ ଛନକା: ବିଳମ୍ବରେ ଅଫିସ୍‌ ଆସିଲେ ଦରମା ବନ୍ଦ

ଭୁବନେଶ୍ୱର,୩୦।୧୨: ଏଣିକି ବିଳମ୍ବରେ ଅଫିସ ଆସିଲେ ଦରମା ବନ୍ଦ । ନୂଆବର୍ଷ ପୂର୍ବରୁ ବିଏମ୍‌ସି କର୍ମଚାରୀଙ୍କୁ ତାଗିଦ୍‌ କରି ଏପରି ନିର୍ଦ୍ଦେଶନାମା ଜାରି କରିଛି ।
ତେବେ ବିଏମ୍‌ସି ମୁଖ୍ୟାଳୟରେ କାମ କରୁଥିବା ସମସ୍ତ କର୍ମଚାରୀ ସକାଳ ୯.୪୫ରୁ ୧୦.୧୫ ମଧ୍ୟରେ କାର୍ଯ୍ୟାଳୟରେ ପହଞ୍ଚିବା ଦରକାର। ଅଧିକରୁ ଅଧିକ ୧୫ ମିନିଟ ଏହା କୋହଳ କରାଯାଇପାରିବ। ଅର୍ଥାତ ସକାଳେ ସାଢ଼େ ୧୦ଟା ଯାଏ କୋହଳ ହୋଇପାରିବ। ତାହା ପୁଣି କୌଣସି ଟ୍ରାଫିକ ଜାମ, ଗାଡ଼ି ଖରାପ କିମ୍ବା ଅନ୍ୟାନ୍ୟ ଜରୁରିକାଳୀନ ସମସ୍ୟା ହେଲେ ହିଁ କୋହଳ କରାଯାଇପାରିବ। ଏସବୁକୁ ବାଦ ଦେଇ ଯଦି କେହି ଅନ୍ୟ କୌଣସି କାରଣ ଦର୍ଶାଇ ବିଳମ୍ବରେ ଅଫିସ ଆସନ୍ତି ସେଥିପାଇଁ ଅନୁପସ୍ଥିତ କିମ୍ବା ‘ନୋ ୱର୍କ, ନୋ ପେ’ ଲାଗୁ ହେବ । ଏ ନେଇ କମିଶନର ନିର୍ଦ୍ଦେଶନାମାରେ ଉଲ୍ଲେଖ କରିଛନ୍ତି ।
କର୍ମଚାରୀମାନେ ନିର୍ଦ୍ଧାରିତ ସମୟରେ ଅଫିସ ଆସୁଛନ୍ତି କି ନାହିଁ, ପ୍ରତ୍ୟେକ ମହଲାରେ ଜଣେ ଲେଖାଏଁ ବରିଷ୍ଠ ଅଧିକାରୀ ଏହାର ତଦାରଖ କରିବେ। ଏ ନେଇ କର୍ମଚାରୀଙ୍କ ମନରେ ଛନକା ପଶିଛି।

Share