କଟକ,୨୨ା୩ (କାର୍ତ୍ତିକ ସାହୁ):ଆଇପିଏଲ୍ରେ ଓଡ଼ିଆ ଧାରା ବିବରଣୀବନ୍ଦ କରାଯାଇଥିବା ବେଳେ ଓଡ଼ିଆ କ୍ରୀଡାପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଗତବର୍ଷ ଆଇପିଏଲ୍ରେ ଓଡ଼ିଆ ସମେତ ବାରଟି ଭାଷାରେ ଧାରା ବିବରଣୀ ଶୁଣିବାକୁ ମିଳିଥିଲା। କିନ୍ତୁ ଚଳିତ ବର୍ଷ ଆଇପିଏଲ୍ରେ ଓଡିଆ ଭାଷା ବାଦ ପଡ଼ିଛି। ଓଡିଆ ଭଳି ଶାସ୍ତ୍ରୀୟ ଓ ଲୋକପ୍ରିୟ ଭାଷାକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଖେଳରେ ଅଣଦେଖା କରାଯାଇଛି। ସୂଚନାଯୋଗ୍ୟ ଏଗାରଟି ଭାଷା ମଧ୍ୟରୁ କ୍ରିକେଟ ଧାରା ବିବରଣୀ ଶୁଣୁଥିବା ଓ ଦେଖୁଥିବା ଶ୍ରୋତା ଓ ଦର୍ଶକଙ୍କ ତୁଳନାରେ ଓଡ଼ିଆଙ୍କ ସଂଖ୍ୟା କିଛି କମ୍ ନୁହେଁ। ପୁଣି ଲୋକପ୍ରିୟତା ଦୃଷ୍ଟିରୁ କେତେକ ରାଜ୍ୟ ଫୁଟବଲ୍ ପ୍ରଧାନ ରାଜ୍ୟ ହୋଇଥିବା ବେଳେ ଓଡିଶାରେ କ୍ରିକେଟର ଲୋକପ୍ରିୟତା ରହିଛି। ଆଇପିଏଲରୁ ଓଡ଼ିଆ ଭାଷା ବାଦ ପଡିବାକୁ ନେଇ ଅଧ୍ୟାପକ ଗୋପୀନାଥ ପଣ୍ଡା, ଶିକ୍ଷାବିତ ଅନନ୍ତ ଚରଣ ଦାସ, ଡାକ୍ତର ନିର୍ମଳେନ୍ଦୁ କୁମାର ଦାଶ, ପ୍ରଫେସର ଉମାଶଙ୍କରର ମିଶ୍ର, ସାହିତି୍ୟକ ସଞ୍ଜିତ ପଟ୍ଟନାୟକଙ୍କ ସମେତ ଅନ୍ୟ ମାନେ ପ୍ରତିବାଦ କରିଛନ୍ତି।