Categories: ଜାତୀୟ

ନ୍ୟାୟପାଳିକା ଉପରେ ମନ୍ତବ୍ୟ: ପ୍ରକାଶକ ଗିରଫ

ଚେନ୍ନାଇ,୩୦ା୭: ମଣିପୁର ହିଂସା ପ୍ରସଙ୍ଗରେ ଗତ ୨୨ ତାରିଖରେ ଏକ ୟୁଟ୍ୟୁବ୍‌ ଚ୍ୟାନେଲକୁ ସାକ୍ଷାତକାର ଦେବାବେଳେ ଚେନ୍ନାଇର ପ୍ରକାଶକ ତଥା ବ୍ଲଗର ବଦ୍ରି ଶେଷାଦ୍ରୀ ନ୍ୟାୟପାଳିକା ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଏଥିପାଇଁ ଆଇନଜୀବୀ କଭିଆରାସୁଙ୍କ ଅଭିଯୋଗ ଆଧାରରେ ଶନିବାର ତାଙ୍କୁ ପେରମ୍ବଲୁର ଜିଲା ପୋଲିସ ଗିରଫ କରିଛି। ତାଙ୍କ ବିରୋଧରେ ଆଇପିସିର ଦଫା ୧୫୩, ୧୫୩ଏ(୧)(ଏ) ଏବଂ ୫୦୫(୧)ବିରେ ମାମଲା ରୁଜୁ ହୋଇଛି। ଦଙ୍ଗା ସୃଷ୍ଟି କରିବା ଓ ଶତ୍ରୁତା ବଢ଼ାଇବା ଏବଂ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଶେଷାଦ୍ରୀ ଏଭଳି ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଥିଲା। ସାକ୍ଷାତ୍‌କାରରେ ଶେଷାଦ୍ରୀ କହିଥିଲେ, ମେଇତି ସମ୍ପ୍ରଦାୟକୁ ଆଦିବାସୀ ମାନ୍ୟତା ଦେବା ପାଇଁ ମଣିପୁର ହାଇକୋର୍ଟଙ୍କ ନିଷ୍ପତ୍ତିକୁ ନେଇ ମଣିପୁରରେ ସମସ୍ୟା ସୃଷ୍ଟି ହୋଇଛି। ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟର ଆଭିମୁଖ୍ୟକୁ ସେ ସମାଲୋଚନା କରିବା ସହ ସିଜେଆଇଙ୍କୁ ବନ୍ଧୁକ ଧରାଇଦିଆଗଲେ, ସେ ଶାନ୍ତି ସୁନିଶ୍ଚିତ କରିବାରେ ସମର୍ଥ ହେବେ ବୋଲି କହିଥିଲେ। ଶେଷାଦ୍ରୀ ସିଜେଆଇ ଏବଂ ସର୍ବୋଚ୍ଚ ଅଦାଲତଙ୍କ ମର୍ଯ୍ୟାଦାକୁ କ୍ଷୁଣ୍ଣ କରିବାକୁ ଉଦ୍ୟମ କରିଥିବା କଭିୟାରାସୁ ତାଙ୍କ ଅଭିଯୋଗରେ ଉଲ୍ଲେଖ କରିଥିଲେ।

Share