Categories: ଜାତୀୟ

ମୋଦିଙ୍କ ପିତାଙ୍କୁ ନେଇ ମନ୍ତବ୍ୟ, ଭାଜପା କହିଲା ଜବାବ ଦେବେ ଜନତା…

ଭୋପାଳ,୧୫।୬ : ମଧ୍ୟପ୍ରଦେଶରେ ପୂର୍ବତନ କଂଗ୍ରେସ ସଭାପତି ଅରୁଣ ଯାଦବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପିତା ସ୍ବର୍ଗତ ଦାମୋଦର ଦାସ ମୋଦିଙ୍କ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଅରୁଣ ଯାଦବଙ୍କ ଏହି ବିବୃତ୍ତିରେ ଭାଜପା ନେତାମାନେ କ୍ରୋଧିତ ହୋଇଛନ୍ତି। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି ଏହା ହେଉଛି କଂଗ୍ରେସର ପ୍ରେମ ଦୋକାନ। ମଧ୍ୟପ୍ରଦେଶର ଲୋକମାନେ କଂଗ୍ରେସର ଏହି ମନ୍ତବ୍ୟର ଉତ୍ତର ଦେବେ।

ବାସ୍ତବରେ ମଧ୍ୟପ୍ରଦେଶରେ ଭାଜପା ନେତାଙ୍କ ଗସ୍ତ ବିଷୟରେ ଅରୁଣ ଯାଦବ କହିଥିଲେ ଯିଏ ରାଜ୍ୟକୁ ଆସନ୍ତୁ, ମୋଦି ଆସନ୍ତୁ ଏବଂ ତାଙ୍କ ଉପରେ କିଏ ଅଛନ୍ତି, ନଡ୍ଡା ଆସୁଛନ୍ତି, ମୋଦିଙ୍କର ପିତା ଯଦି ଆସିବାକୁ ଚାହୁଁଛନ୍ତି, ଆସନ୍ତୁ, ଆମର କୌଣସି ଆପତ୍ତି ନାହିଁ। କିନ୍ତୁ ମଧ୍ୟପ୍ରଦେଶରେ ପରିବର୍ତ୍ତନର ଲହର ଅଛି, ଯାହାକୁ ଆମେ ସ୍ପଷ୍ଟ ଦେଖିପାରଛୁ।

ଅରୁଣ ଯାଦବଙ୍କ ଏହି ବିବୃତ୍ତି ସମ୍ପର୍କରେ ଭାଜପା କଂଗ୍ରେସକୁ କଡ଼ା ସମାଲୋଚନା କରିଛି। ମୁଖ୍ୟମନ୍ତ୍ରୀ ଶିବରାଜ ସିଂ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ସ୍ବର୍ଗତ ପିତାଙ୍କ ଉପରେ କଂଗ୍ରେସ ନେତା ଅରୁଣ ଯାଦବଙ୍କ ଅଶ୍ଳୀଳ ମନ୍ତବ୍ୟ ତାଙ୍କ ଭିତ୍ତିହୀନ ମାନସିକତାର ପ୍ରତୀକ। ଏହା ହିଁ କଂଗ୍ରେସର ସଂସ୍କୃତି। ମୋଦି ଦେଶର ଗର୍ବ ଏବଂ ଦେଶବାସୀଙ୍କ ଆତ୍ମ ସମ୍ମାନ। କଂଗ୍ରେସ ତଳକୁ ତଳ ହେଉଛି। ଯେତେବେଳେ ଦେଶର ସଫଳ ତଥା ଲୋକପ୍ରିୟ ପ୍ରଧାନମନ୍ତ୍ରୀଙ୍କ ସହ ସିଧାସଳଖ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ସକ୍ଷମ ନୁହେଁ ବୋଲି ଜାଣୁଛି ସେତେବେଳେ ଅଶ୍ଳୀଳ ତଥା ଅସଭ୍ୟ ଭାଷା ପ୍ରୟୋଗ କରୁଛି।

Share