Categories: ଜାତୀୟ

କମର୍ସ ପଢ଼ି ଡାକ୍ତରଙ୍କୁ କରୋନା ଉପରେ ଶିକ୍ଷା ଦେବ- ସୁପ୍ରିମକୋର୍ଟଙ୍କ ପ୍ରଶ୍ନ

ନୂଆଦିଲ୍ଲୀ,୩୦।୪ : କୋଭିଡ୍‌-୧୯ ଆକ୍ରାନ୍ତଙ୍କୁ ଔଷଧ ପ୍ରେସକ୍ରାଇବ୍‌ କରିବାକୁ ଚାହୁଁଥିବା ଜଣେ ବ୍ୟକ୍ତିଙ୍କ ଉପରେ ୧ ହଜାର ଟଙ୍କାର ଜରିମାନା ଲଗାଇଛନ୍ତି ସୁପ୍ରିମକୋର୍ଟ। କଲିକତା ହାଇକୋର୍ଟ ଖାରଜ କରିବା ପରେ କମର୍ସରେ ପିଜି କରିଥିବା ସୁରେଶ ଶ’ କରୋନା ଆକ୍ରାନ୍ତଙ୍କୁ ଔଷଧ ପ୍ରେସକ୍ରାଇବ କରିବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ।

ସିଜେଆଇ ଏନ୍‌ଭି ରମନା ଯାଚିକାକୁ ସମାଲୋଚନା କରିବା ପରେ ସୁରେଶଙ୍କୁ ପ୍ରଶ୍ନ କରିଥିଲେ, ‘ତୁମେ କ’ଣ ଜଣେ ଡାକ୍ତର ନା ବୈଜ୍ଞାନିକ? ତୁମ ଶିକ୍ଷାଗତ ଯୋଗ୍ୟତା କ’ଣ? ’ ଏହାର ଉତ୍ତରରେ ଯାଚିକା ଦାଖଲକାରୀ କହିଥିଲେ, ସେ କୌଣସି ଡାକ୍ତର ନୁହନ୍ତି। କିନ୍ତୁ କମର୍ସରେ ପିଜି କରିଛନ୍ତି। ଆଉ ଏହା ତାଙ୍କର ବ୍ୟକ୍ତିଗତ ଗବେଷଣା।

ଏହା ଶୁଣିବା ପରେ ଦେଶର ମୁଖ୍ୟ ବିଚାରପତି କହିଥିଲେ, ତୁମେ ଚାହୁଁଛ ପୂରା ବିଶ୍ୱକୁ ଔଷଧ ପ୍ରେସକ୍ରାଇବ କରିବ ଓ ଡାକ୍ତରଙ୍କୁ ଏହି ଔଷଧ ସମ୍ପର୍କରେ ଜଣାନାହିଁ। ଜଣେ କମର୍ସ ବ୍ୟାକଗ୍ରାଉଣ୍ଡର ବ୍ୟକ୍ତି ଡାକ୍ତର ଓ ବୈଜ୍ଞାନିକଙ୍କୁ କୋଭିଡ୍‌ ବିଷୟରେ ଶିକ୍ଷା ଦେବ।

ଏଥି ନେଇ କୋର୍ଟ ୧୦ ଲକ୍ଷ ଟଙ୍କାର ଜରିମାନା ଲଗାଇ ପାରିବେ ବୋଲି କହିବା ପରେ ପାଖରେ ଚାକିରୀ ନ ଥିବା ଉତ୍ତର ଦେଇଥିଲେ ଉକ୍ତ ବ୍ୟକ୍ତି। ଆଉ ସେ ଜରିମାନା ବାବଦକୁ ୧ ହଜାର ଟଙ୍କା ଦେଇପାରିବେ ବୋଲି ମାନ୍ୟବର କୋର୍ଟଙ୍କୁ ଜଣାଇଥିଲେ।

Share