Categories: ବାଣିଜ୍ୟ

କମିଲା କମର୍ସିଆଲ ଗ୍ୟାସ୍‌ ମୂଲ୍ୟ

ନୂଆଦିଲ୍ଲୀ,୨।୮: ଗତ କିଛି ମାସ ହେବ କ୍ରମାଗତ ଭାବେ କମର୍ସିଆଲ ଗ୍ୟାସ୍‌ ଦର ହ୍ରାସ ପାଉଥିବାବେଳେ ଘରୋଇ ଗ୍ୟାସ୍‌ ମୂଲ୍ୟ ସ୍ଥିର ରହିଛି। ଏପରିକି ୨୦୨୩-୨୪ ଆର୍ଥିକ ବର୍ଷର ଜୁଲାଇ ମାସରେ ମଧ୍ୟ କମର୍ସିଆଲ ଗ୍ୟାସ୍‌ (୧୯କେଜି) ଦର ୯୯.୭୫ ଟଙ୍କା ହ୍ରାସ ପାଇଥିବା ବେଳେ ଘରୋଇ ଗ୍ୟାସ (୧୪.୨ କେଜି) ଦର ଅପରିବର୍ତ୍ତିତ ରହିଛି। ଉଲ୍ଲେଖଯୋଗ୍ୟ, ଦେଶର ପ୍ରମୁଖ ଇନ୍ଧନ ବିପଣନକାରୀ କମ୍ପାନୀଗୁଡିକ ପକ୍ଷରୁ ମଙ୍ଗଳବାର ୨୦୨୩ ଜୁଲାଇ ପାଇଁ ନୂତନ ଗ୍ୟାସ୍‌ ଦର ସୂଚୀ ପ୍ରକାଶ କରାଯାଇଛି। ଏପରିକି ନୂଆଦିଲ୍ଲୀରେ ୧୯ କେଜି ଗ୍ୟାସ୍‌ ସିଲିଣ୍ଡରର ମୂଲ୍ୟ ଉପରେ ୯୭.୭୫ ଟଙ୍କା କମି ୧୬୮୦ ଟଙ୍କାରେ ରହିଛି। ଅପରପକ୍ଷରେ କୋଲକାତା, ମୁମ୍ବାଇ ଏବଂ ଚେନ୍ନାଇ ଭଳି ମେଟ୍ରୋ ସହରରେ ୧୯ କେଜି ଗ୍ୟାସ୍‌ ସିଲିଣ୍ଡରର ମୂଲ୍ୟ ଯଥାକ୍ରମେ ୧୮୦୨.୫୦ ଟଙ୍କା, ୧୬୪୦.୫୦ ଟଙ୍କା ଏବଂ ୧୮୫୨.୫୦ ଟଙ୍କାରେ ପହଞ୍ଚତ୍ଛି। ସେହିଭଳି ଉପରୋକ୍ତ ସହରଗୁଡିକରେ ଘରୋଇ ଗ୍ୟାସ୍‌ (୧୪.୨ କେଜି) ଦର ପୂର୍ବଭଳି ସ୍ଥିର ରହିଛି। ଏପରିକି ନୂଆଦିଲ୍ଲୀ, କୋଲକାତା, ମୁମ୍ବାଇ ଏବଂ ଚେନ୍ନାଇ ଭଳି ସହରରେ ୧୪.୨ କେଜି ଗ୍ୟାସ୍‌ ସିଲିଣ୍ଡରର ମୂଲ୍ୟ ଯଥାକ୍ରମେ ୧୧୦୩ ଟଙ୍କା, ୧୧୨୯ ଟଙ୍କା,୧୧୦୨.୫୦ ଟଙ୍କା ଏବଂ ୧୧୧୮.୫୦ ଟଙ୍କାରେ କାରବାର ହେଉଛି। ସେହିଭଳି ଓଡ଼ିଶା ବଜାରରେ ମଧ୍ୟ କମର୍ସିଆଲ ଗ୍ୟାସ୍‌ (୧୯ କେଜି) ଦର ୧୮୩୯.୫୦ ଟଙ୍କାରେ ରହିଛି। ଏହା ପୂର୍ବରୁ ୧୯ କେଜି ଗ୍ୟାସ୍‌ ସିଲିଣ୍ଡରର ମୂଲ୍ୟ ୧୯୩୧ ଟଙ୍କା ଥିଲା।

Share