ବାଣିଜ୍ୟକର ମାର୍କେଟ କମ୍ପ୍ଲେକ୍ସ ବିପଦସଙ୍କୁଳ

କଟକ ଅଫିସ, ୭ା୩: କଟକ ବଜ୍ରକବାଟିସ୍ଥିତ ବାଣିଜ୍ୟକର ମାର୍କେଟ କମ୍ପ୍ଲେକ୍ସ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଏହି କମ୍ପ୍ଲେକ୍ସ ଛାତରୁ ପଲସ୍ତରା ଖସି ରଡ ଦେଖାଯାଉଛି। ଏଠାରେ ଦୋକାନ ଘର ଅଛି କିନ୍ତୁ ଭଡା ଲାଗିପାରୁନାହିଁ। ସେହିପରି ରକ୍ଷଣାବେକ୍ଷଣ ଅଭାବରୁ ଏଠାରେ ଥିବା ଶୌଚାଳୟ ବ୍ୟବହାର ଅନୁପଯୋଗୀ ହୋଇପଡିଛି। ଏଠାରେ ନିର୍ମାଣ ହୋଇଥିବା ଦୋକାନ ଘର ଖତ ଖାଉଥିବାରୁ କଟକ ଉନ୍ନୟନ କର୍ତ୍ତୃପକ୍ଷ(ସିଡିଏ)ର ଲକ୍ଷାଧିକ ଟଙ୍କାର ରାଜସ୍ବ ହାନି ଘଟୁଛି। ଉକ୍ତ ସ୍ଥାନରେ ଅସାମାଜିକ ଲୋକଙ୍କ ଆଡ୍ଡା ଜମୁଥିବା ଦେଖିବାକୁ ମିଳିଛି।
୧୯୭୯ ଜାନୁୟାରୀ ୨୫ରେ ସିଡିଏ ଉକ୍ତ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କାର୍ଯ୍ୟ ହାତକୁ ନେଇଥିଲା। ଦୁଇମହଲା ବିଶିଷ୍ଟ ଏହି କମ୍ପ୍ଲେକ୍ସରେ ୫୫ଟି ଦୋକାନ ଘର ରହିଛି। ସେଥିମଧ୍ୟରୁ ୪୨ଟି ଘର ଭଡାରେ ଲାଗିଛି। ଉପର ମହଲା ପାଇଁ ପ୍ରତି ସ୍କୋୟାରଫୁଟ ପିଛା ୩୫ଟଙ୍କା ଓ ତଳଘର ପାଇଁ ୨୫ଟଙ୍କା ଭଡା ଧାର୍ଯ୍ୟ କରାଯାଇଥିଲା। ହେଲେ ସିଡିଏ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ଦୋକାନୀଙ୍କଠାରୁ ଠିକ୍‌ ସମୟରେ ଭଡା ଆଦାୟ କରାଯାଇ ପାରିଲାନାହିଁ। ଫଳରେ ଏହି ବକେୟା ଟଙ୍କା ବଢିଚାଲିଲା। ପରବର୍ତ୍ତୀ ସମୟରେ ଭଡା ଟଙ୍କା ଅଧିକ ହେବା ସହ ଅନ୍ୟ ସୁବିଧା ନ ପାଇବାରୁ ଦୋକାନୀମାନେ ଘର ଛାଡି ଦେଇଥିଲେ।

ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିବା ଏହି ମାର୍କେଟ କମ୍ପ୍ଲେକ୍ସରେ ଅସାମାଜିକ ଲୋକମାନେ ନିଶାଦ୍ରବ୍ୟ ସେବନ କରୁଛନ୍ତି। ସେଠାରେ ଆବର୍ଜନା ଜମି ରହୁଥିଲେ ମଧ୍ୟ କର୍ତ୍ତୃପକ୍ଷ ଦୃଷ୍ଟି ଦେଉନାହାନ୍ତି। ଫଳରେ ସ୍ଥାନୀୟ ବାସିନ୍ଦା ମିଶି ଉକ୍ତ ମାର୍କେଟ କମ୍ପ୍ଲେକ୍ସ ସଫା କରିବା ସହ ରକ୍ଷଣାବେକ୍ଷଣ କରୁଛନ୍ତି। ଯଦି ସିଡ଼ିଏ କର୍ତ୍ତୃପକ୍ଷ ଏଠାରେ ସିସିଟିଭି କ୍ୟାମେରା ଲଗାଯିବା ବ୍ୟବସ୍ଥା କରନ୍ତେ ତା’ହେଲେ ଅସାମାଜିକ ଲୋକଙ୍କ ଉପରେ ନଜର ରଖାଯାଇପାରନ୍ତା।
– ସଞ୍ଜୟ କୁମାର ପ୍ରଧାନ, ସ୍ଥାନୀୟ ବାସିନ୍ଦା

ଏହି ମାର୍କେଟ କମ୍ପ୍ଲେକ୍ସ ବହୁ ପୁରୁଣା । ପ୍ରଶାସନିକ ଅଧିକାରୀଙ୍କ ଅବହେଳା ଯୋଗୁ ଏହି କମ୍ପ୍ଲେକ୍ସ ଭୁଶୁଡିବା ଅବସ୍ଥାରେ ରହିଛି । ଯଦି ପ୍ରଶାସନ ଏହାର ରକ୍ଷଣାବେକ୍ଷଣ ଠିିକ୍‌ ଭାବେ କରିଥାନ୍ତା, ବର୍ତ୍ତମାନ ଏଭଳି ସ୍ଥିତି ଦେଖିବାକୁ ମିଳି ନ ଥାନ୍ତା।
-ଧୀରେନ୍ଦ୍ର କୁମାର ପ୍ରଧାନ,
ସାହି ଅଧିକାରୀ

ଅଣ୍ଡର ଗ୍ରାଉଣ୍ଡରେ ଥିବା କେତେକ ଘର ଭଡାରେ ଲାଗିନି। ବାକି ଯେତିକି ଘର ଭଡ଼ାରେ ଲାଗିଛି ଦୋକାନୀମାନେ ଠିକ୍‌ ସମୟରେ ଟଙ୍କା ଦେଉନାହାନ୍ତି । ଫଳରେ ଦୀର୍ଘବର୍ଷ ହେଲା ଘରଭଡା ଟଙ୍କା ବାକି ପଡିଛି। ଆଗାମୀ ବୈଠକରେ ଆମେ ଏହି ମାର୍କେଟ କମ୍ପ୍ଲେକ୍ସ ଉପରେ ଆଲୋଚନା କରି ପଦକ୍ଷେପ ନେବୁ। ଏଥିସହ ଉକ୍ତ ଅଞ୍ଚଳରେ ଅସାମାଜିକ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରିବା ପାଇଁ ସ୍ଥାନୀୟ ଥାନା ଅଧିକାରୀଙ୍କୁ ସୂଚନା ଦିଆଯିବ।
– ପ୍ରିୟଙ୍କା ମଲ୍ଲିକ, ସିଡିଏ ପ୍ରଶାସନିକ ଅଧିକାରୀ