Categories: ଜାତୀୟ

ଦିଲ୍ଲୀ ବାୟୁ ପ୍ରଦୂଷଣ ରୋକିବାରେ କମିଶନ ବିଫଳ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୭ା୯: ବାୟୁ ମାନ ଉପରେ ନଜର ରଖିବା ଏବଂ ଜାତୀୟ ରାଜଧାନୀ ଅଞ୍ଚଳରେ ପ୍ରଦୂଷଣ ରୋକିବା ଦିଗରେ ପର୍ଯ୍ୟାପ୍ତ ପଦକ୍ଷେପ ନିଆଯାଉ ନ ଥିବାରୁ ସୁପ୍ରିମକୋର୍ଟ ଶୁକ୍ରବାର ବାୟୁ ମାନ ପରିଚାଳନା କମିଶନ (ସିଏକ୍ୟୁଏମ୍‌)କୁ ଭର୍ତ୍ସନା କରିଛନ୍ତି। ପଡୋଶୀ ରାଜ୍ୟ ପଞ୍ଜାବ ଓ ହରିୟାଣାରେ ନଡ଼ାପୋଡ଼ି ଯୋଗୁ ଦିଲ୍ଲୀ ବାୟୁ ଅଧିକ ପ୍ରଦୂଷିତ ହେଉଥିବା ବେଳେ ଏହାକୁ ରୋକିବା ଦିଗରେ ସିଏକ୍ୟୁଏମ୍‌ ବିଫଳ ହୋଇଛନ୍ତି।

ଏଦିଗରେ କମିଶନ ଅଧିକ ସକ୍ରିୟତାର ସହ ପଦକ୍ଷେପ ନେବା ଆବଶ୍ୟକ ବୋଲି ଜଷ୍ଟିସ୍‌ ଅଭୟ ଏସ୍‌. ଓକା ଏବଂ ଅଗଷ୍ଟିନ୍‌ ଜର୍ଜ ମସିହଙ୍କ ଖଣ୍ଡପୀଠ କହିଛନ୍ତି। ପ୍ରଦୂଷଣ ରୋକିବା ଦିଗରେ କମିଶନଙ୍କ ପଦକ୍ଷେପ ଉପରେ ଖଣ୍ଡପୀଠ ଅସନ୍ତୋଷ ବ୍ୟକ୍ତ କରିବା ସହ ଜାତୀୟ ରାଜଧାନୀ ଓ ଆଖପାଖ ଅଞ୍ଚଳର ବାୟୁ ପ୍ରଦୂଷଣ ମାନ ପରିଚାଳନା ଆଇନ ଅନୁଯାୟୀ ସିଏକ୍ୟୁଏମ୍‌ ନିଜ କ୍ଷମତାର ଅଧିକ ପ୍ରୟୋଗ କରିବା ଆବଶ୍ୟକ ବୋଲି କହିଛନ୍ତି।

ତୃଣମୂଳସ୍ତରରେ ନଡ଼ାପୋଡ଼ିର ବିକଳ୍ପ ଉପକରଣ ବ୍ୟବହାରକୁ ସୁନିଶ୍ଚିତ କରିବା ଦିଗରେ ପଦକ୍ଷେପ ନିଆଯିବା ଜରୁରୀ। କେନ୍ଦ୍ର ସରକାର ନଡ଼ାପୋଡ଼ି ସମସ୍ୟା ଦୂର ପାଇଁ ଯୋଗାଇ ଦେଉଥିବା ଉପକରଣ ବାସ୍ତବରେ ଚାଷୀମାନେ ବ୍ୟବହାର କରୁଛନ୍ତି କି ନାହିଁ, ସେ ନେଇ କମିଶନ ସୁନିଶ୍ଚିତ ହେବା ଉଚିତ। ଅକ୍ଟୋବର ୩ରେ ମାମଲାର ପରବର୍ତ୍ତୀ ଶୁଣାଣି ଥିବାରୁ କମିଶନ ଏହି ସମୟ ମଧ୍ୟରେ ଉତ୍ତମ ଅନୁପାଳନ ରିପୋର୍ଟ ଦାଖଲ କରିବା ପାଇଁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।

Share