ରତ୍ନଭଣ୍ଡାର ଚାବି ହଜିବା ଘଟଣାର ତଦନ୍ତ କମିଶନ ରିପୋର୍ଟ ସାର୍ବଜନୀନ ମାମଲା: ମହଲତ ନେଲେ ରାଜ୍ୟ ସରକାର

କଟକ,୧୭ା୧(କାର୍ତ୍ତିକ ସାହୁ): ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର ଚାବି ହଜିବା ଘଟଣାର ତଦନ୍ତ କମିଶନଙ୍କ ରିପୋର୍ଟ ସାର୍ବଜନୀନ କରିବା ପାଇଁ ରୁଜୁ ମାମଲାରେ ଶୁଣାଣି ବୁଧବାର ହୋଇଛି। ମାମଲାର ଶୁଣାଣି ବେଳେ ରତ୍ନଭଣ୍ଡାର ଚାବି ହଜିବା ମାମଲାର ସ୍ଥିତି ସମ୍ପର୍କରେ ସତ୍ୟପାଠ ଦାଖଲ କରିବା ପାଇଁ ରାଜ୍ୟ ସରକାର ୨/୩ ଦିନ ଅଧିକ ସମୟ ଲୋଡ଼ିଥିଲେ। ଅଦାଲତ ରାଜ୍ୟ ସରକାରଙ୍କ ଆବେଦନକୁ ଗ୍ରହଣ କରି ମହଲତ ପାଇଁ ଅନୁମତି ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଆଗାମୀ ୨ ସପ୍ତାହ ପରେ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାନୁସାରେ, ପୂର୍ବରୁ ମାମଲାର ଶୁଣାଣି କରି ରତ୍ନଭଣ୍ଡାର ଚାବି ହଜିବା ଘଟଣାର ସ୍ଥିତି ସମ୍ପର୍କରେ ଅବଗତ କରାଇବାକୁ ହାଇକୋର୍ଟ ଗତ ଏପ୍ରିଲ ୨୫ରେ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଗତ ଡିସେମ୍ବର ୧ରେ ମାମଲାର ଶୁଣାଣି ବେଳେ  ରାଜ୍ୟ ସରକାର ଏ ସମ୍ପର୍କିତ ସତ୍ୟପାଠ ଦାଖଲ ନିମନ୍ତେ ସମୟ ନେଇଥିଲେ।
ଉଲ୍ଲେଖଯୋଗ୍ୟ ଯେ, ରତ୍ନଭଣ୍ଡାର ଚାବି ହଜିବା ଘଟଣାରେ ତଦନ୍ତ କମିଶନଙ୍କ ରିପୋର୍ଟ କାହିଁକି ସାର୍ବଜନୀନ କାହିଁକି କରାଯାଉନାହିଁ ବୋଲି ଦର୍ଶାଇ ଆବେଦନକାରୀ ଦିଲ୍ଲୀପ ବରାଳ ହାଇକୋର୍ଟରେ ମାମଲା ରୁଜୁ କରିଥିଲେ। ତଦନ୍ତ କମିଶନଙ୍କ ରିପୋର୍ଟରେ କ’ଣ ସବୁ ତଥ୍ୟ ରହିଛି ତାହା ଜାଣିବାକୁ ସାଧାରଣ ଲୋକଙ୍କର ଅଧିକାର ରହିଛି। ତଦନ୍ତ କମିଶନ ନିମନ୍ତେ ସରକାରୀ ରାଜକୋଷରୁ ଅର୍ଥ ଖର୍ଚ୍ଚ ହୋଇଛି। ଏପରି କ୍ଷେତ୍ରରେ ରାଜ୍ୟ ସରକାର କ’ଣ ପାଇଁ କମିଶନଙ୍କ ରିପୋର୍ଟକୁ ସାର୍ବଜନୀନ କରୁନାହାନ୍ତି। ରାଜ୍ୟ ସରକାରଙ୍କୁ ଏହି ରିପୋର୍ଟ ସାର୍ବଜନୀନ କରିବା ନିମନ୍ତେ ଆଦେଶ ଦେବାକୁ ଆବେଦନକାରୀ ପ୍ରାର୍ଥନା କରିଛନ୍ତି।
Share