କମିଶନରେଟ୍‌ ପୋଲିସର ଗଣେଶ ପୂଜା ପ୍ରସ୍ତୁତି ବୈଠକ

କଟକ ଅଫିସ,୧୭ା୮: କଟକ ସହରର ବିଭିନ୍ନ ମଣ୍ଡପରେ ଆସନ୍ତା ୩୧ ତାରିଖରେ ଗଣେଶ ପୂଜା ଅନୁଷ୍ଠିତ ହେବ। ଏହାକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ପାଇଁ କମିଶନରେଟ୍‌ ପୋଲିସ ପକ୍ଷରୁ କଟକ ସାରଳା ଭବନଠାରେ ମଙ୍ଗଳବାର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥର କୋଭିଡ୍‌ କଟକଣା ନଥିବାରୁ ୨୦୧୯ ମସିହା ଭଳି ପୂଜା ଅନୁଷ୍ଠିତ ହେବ। କଟକ ସହରର ପ୍ରାୟ ୧୫୦୦ ପୂଜା ମଣ୍ଡପରେ ଧୁମ୍‌ଧାମ୍‌ରେ ଗଣେଶ ପୂଜା ହୋଇଥାଏ। ପୂଜା ପାଇଁ ଥାନାରୁ ଲାଇସେନ୍ସ ନେବା ପାଇଁ କୁହାଯାଇଛି। ଭସାଣିବେଳେ ସହରରେ ଟ୍ରାଫିକ ଜାମ୍‌ ପରିସ୍ଥିତି ସୃଷ୍ଟି ହୋଇଥାଏ। ଏଥିରୁ ସହରବାସୀ ବର୍ତ୍ତିବା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପୂଜା ପରେ ଲଗାତାର ୩ଟି ରବିବାରରେ ଭସାଣି ଉତ୍ସବ ଶେଷ କରିବାକୁ ପୋଲିସ ପ୍ରଶାସନ ସର୍ବଦା ଗୁରୁତ୍ୱ ଦେଇଆସିଛି । ତେବେ ଏଥର ପ୍ରଥମ ଓ ଦ୍ୱିତୀୟ ରବିବାର ସେପ୍ଟେମ୍ବର ୪ ଓ ୧୧ ତାରିଖରେ ପଡୁଥିବାବେଳେ ତୃତୀୟ ରବିବାରରେ ଘାଣ୍ଟ ଗଣେଶ ପୂଜା ପଡୁଛି। ସହରର ୧୬ରୁ ଊର୍ଦ୍ଧ୍ୱ ମଣ୍ଡପରେ ଘାଣ୍ଟ ଗଣେଶ ପୂଜା ହୋଇଥାଏ। ତୃତୀୟ ରବିବାର ଘାଣ୍ଟ ପୂଜା ପଡୁଥିବାରୁ ଉକ୍ତ ଦିନ ପୂଜା ଶେଷ କରି ଭସାଣି କରିବା ନିମନ୍ତେ ପୂଜା ମଣ୍ଡପଗୁଡ଼ିକ ବୈଠକରେ ଅସହମତ ହୋଇଥିଲେ। ପରବର୍ତ୍ତୀ ରବିବାର ଅର୍ଥାତ୍‌ ୨୫ ତାରିଖରେ ଭସାଣି ନିମନ୍ତେ ଅନୁମତି ଦେବାକୁ କର୍ମକର୍ତ୍ତାମାନେ ପୋଲିସ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ। ଏ ସମ୍ପର୍କରେ ଆଲୋଚନା କରାଯାଇ ଖୁବ୍‌ଶୀଘ୍ର ଜଣାଇ ଦିଆଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଥିଲା। କଟକ ମହାନଗର ପୂଜା କମିଟି ସମ୍ପାଦକ ତଥା ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଧାୟକ ଇଂ. ମହମ୍ମଦ ମୋକିମ, ସୌଭିକ୍‌ ବିଶ୍ୱାଳ, ଡିସିପି ପିନାକ ମିଶ୍ର, କଟକ ମହାନଗର ଶାନ୍ତି କମିଟି ସଭାପତି ଦେବେନ୍ଦ୍ର କୁମାର ସାହୁ, ସମ୍ପାଦକ ଭିକାରୀ ଦାସ, କଟକ ପୂର୍ବାଞ୍ଚଳ ଶାନ୍ତି କମିଟି ସଭାପତି ବିଜୟ ସାହୁ ଓ ସମ୍ପାଦକ ପ୍ରଫୁଲ୍ଲ କୁମାର ସାହୁଙ୍କ ସମେତ ବିଭିନ୍ନ ପୂଜା ମଣ୍ଡପର କର୍ମକର୍ତ୍ତା ଓ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ।

Share