Categories: ଜାତୀୟ

ସମ୍ବିଧାନ ପ୍ରତି ନାଗରିକଙ୍କ ପ୍ରତିବଦ୍ଧତା

ଭାରତୀୟ ଜନସାଧାରଣଙ୍କ ମୌଳିକ ଅଧିକାରର ସୁରକ୍ଷା କ୍ଷେତ୍ରରେ ସମ୍ବିଧାନ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ସମ୍ବିଧାନ ମୌଳିକ ଅଧିକାରକୁ ସୁନିଶ୍ଚିତ କରେ। ଏହା ମୌଳିକ ଅଧିକାରର ସୁରକ୍ଷା କବଚ ପାଲଟି ଥାଏ। ୨୬ ନଭେମ୍ବର ୧୯୪୯ରେ, ଭାରତର ସମ୍ବିଧାନକୁ ଗ୍ରହଣ କରାଯାଇଥିଲା। ପରେ ଏହା ୨୬ ଜାନୁୟାରୀ ୧୯୫୦ରେ କାର୍ଯ୍ୟକାରୀ ହୋଇଥିଲା। ତେଣୁ ପ୍ରତିବର୍ଷ ନଭେମ୍ବର ୨୬କୁ ଭାରତରେ ସମ୍ବିଧାନ ଦିବସ ଭାବେ ପାଳନ କରାଯାଇଥାଏ।
ଅବସରରେ ଭାରତୀୟ ସମ୍ବିଧାନ ପ୍ରତି ନାଗରିକଙ୍କ ପ୍ରତିବଦ୍ଧତା ଏବଂ ଦାୟିତ୍ୱବୋଧ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥାଏ। ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇ ସଚେତନତା ବାର୍ତ୍ତା ପ୍ରସାରିତ ହୋଇଥାଏ। ମେ ୨୦୧୫ରେ, ସମ୍ବିଧାନ ପ୍ରଣେତା ବି.ଆର୍‌. ଆମ୍ବେଡକରଙ୍କ ୧୨୫ତମ ଜନ୍ମ ବାର୍ଷିକୀ ଅବସରରେ ସାମାଜିକ ନ୍ୟାୟ ଏବଂ ସଶକ୍ତୀକରଣ ମନ୍ତ୍ରଣାଳୟ ଏହି ଦିନକୁ ୨୬ ନଭେମ୍ବରରେ ସମ୍ବିଧାନ ଦିବସ ଭାବରେ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲା। ଏହି ଦିନ ପାଳନ କରିବାର ଉଦ୍ଦେଶ୍ୟ ଥିଲା ଦେଶର ନାଗରିକଙ୍କ ମନରେ ସାମ୍ବିଧାନିକ ମୂଲ୍ୟବୋଧକୁ ପ୍ରୋତ୍ସାହିତ କରିବା ଏବଂ ସମ୍ମାନ ଦେବା। ଗେଜେଟ ବିଜ୍ଞପ୍ତି ୧୯ ନଭେମ୍ବର ୨୦୧୫ରେ ଭାରତ ସରକାର ୨୬ ନଭେମ୍ବରକୁ ସମ୍ବିଧାନ ଦିବସ ଭାବରେ ପାଳନ କରିବାକୁ ଘୋଷଣା କରିଥିଲେ। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୧ ଅକ୍ଟୋବର ୨୦୧୫ରେ ମୁମ୍ବାଇରେ ସମ୍ବିଧାନ ପ୍ରଣେତା ବି.ଆର୍‌. ଆମ୍ବେଡକରଙ୍କ ଷ୍ଟାଚ୍ୟୁ ଅଫ ଇକ୍ୱାଲିଟି ମେମୋରିଆଲର ଶିଳାନ୍ୟାସ ଅବସରରେ ଘୋଷଣା କରିଥିଲେ।

Share