୪ ମାସର ପୁଅକୁ ବିକି ଆତ୍ମହତ୍ୟା

ମାଲକାନଗିରି,୯ା୧ (ସ୍ବ.ପ୍ର./ଡି.ଏନ୍‌.ଏ.): ମୂଲମଜୁରି ମିଳୁ ନ ଥିଲା। ତେଣୁ ୫ ସନ୍ତାନ ସହ ପରିବାରର ୭ଜଣଙ୍କ ପେଟ ପାଇଁ ଦାନା ଯୋଗାଡ଼ କଷ୍ଟକର ହେଉଥିଲା। ମୁଣ୍ଡ ଗୁଞ୍ଜିବାକୁ ଘରଟିଏ ନ ଥିବାବେଳେ ପିଲାଙ୍କ ପ୍ରତିପୋଷଣ ଚିନ୍ତା ଅଥୟ କରିଦେଉଥିଲା। ଶେଷରେ ଅର୍ଥାଭାବର ଶିକାର ବାପା ନିଜ ୪ ମାସର ପୁଅକୁ ଟଙ୍କା କେଇଟାରେ ଅନ୍ୟ ହାତକୁ ଟେକିଦେବାର କଠୋର ନିଷ୍ପତ୍ତି ନେଇଥିଲେ। ହେଲେ ନା ଦାରିଦ୍ର୍ୟ ଦୂର ହେଲା ନା ପୁଅକୁ ବିକିବାର ଦୁଃଖ ସମ୍ଭାଳି ହେଲା। ଏଭଳି ସ୍ଥିତିରେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଦେଲେ ବାପା।
ଦାରିଦ୍ର୍ୟର ଦାରୁଣତାରୁ ଗୁରୁବାର ଏପରି ଘଟଣା ଘଟିଛି ମାଲକାନଗିରି ଜିଲା ଖଇରପୁଟ ବ୍ଲକ ମାଥିଲି ଥାନା ଅନ୍ତର୍ଗତ ଗୋବିନ୍ଦପାଲି ପଞ୍ଚାୟତର ସପ୍ତଧାରା ଗ୍ରାମରେ। ଏହି ଗ୍ରାମର ସୋମନାଥ ଖିଲ ମୂଲମଜୁରି କରନ୍ତି। ସ୍ତ୍ରୀ କୁନି ଏବଂ ୫ ସନ୍ତାନଙ୍କୁ ନେଇ ତାଙ୍କ ସଂସାର। କିନ୍ତୁ ପୂର୍ବପରି କାମ ମିଳୁ ନ ଥିବାରୁ ପରିବାର ଚଳାଇବା ସୋମନାଥଙ୍କ ପକ୍ଷେ ଆଉ ସମ୍ଭବ ହେଉ ନ ଥିଲା। ଅନେକ ସମୟରେ ପିଲାମାନେ ଭୋକ ଉପସାରେ ରହିବା ତାଙ୍କୁ ବେଶ୍‌ ବାଧୁଥିଲା। ଶେଷରେ ପରିବାର ଲାଗି କିଛି ଅର୍ଥ ଯୋଗାଡ଼ ଉଦ୍ଦେଶ୍ୟରେ ସେ ୪ ମାସର ଶିଶୁପୁତ୍ର ରାଜାକୁ ବିକ୍ରି କରିଦେଲେ। ମାତ୍ର ଏପରି କର୍ମ ତାଙ୍କୁ ଶାନ୍ତିରେ ରଖାଇଦେଲା ନାହିଁ। ନିଜ ପିତୃତ୍ୱ ଆହ୍ବାନର ସମ୍ମୁଖୀନ ହୋଇ ନ ପାରି ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ସୋମନାଥ। ଖବରପାଇ ଗୋବିନ୍ଦପାଲି ଫାଣ୍ଡି ପୋଲିସ ପହଞ୍ଚତ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇଛି। ଏ ନେଇ ଥାନାରେ ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି। ଏଣେ ସୋମନାଥଙ୍କ ମୃତ୍ୟୁ ପରେ ସ୍ତ୍ରୀ କୁନି ୪ ପିଲାଙ୍କୁ ଧରି ବେସାହାରା ହୋଇପଡ଼ିଛନ୍ତି। କେମିତି ଘର ଚଳିବ ସେଇ ଚିନ୍ତାରେ ତାଙ୍କ ଆଖିରୁ ଲୁହ ଶୁଖୁନି।

Share