Categories: ଜାତୀୟ

ନିଷ୍ପତ୍ତି କ୍ଷମତା କମିଟିର ନାହିଁ

ନୂଆଦିଲ୍ଲୀ, ୨୧।୧: ନୂଆ କୃଷି ଆଇନକୁ ନେଇ ଲାଗିରହିଥିବା ଅଚଳାବସ୍ଥା ଦୂର ପାଇଁ ସୁପ୍ରିମକୋର୍ଟ ବିଶେଷଜ୍ଞମାନଙ୍କର ଏକ କମିଟି ଗଠନ କରିଥିଲେ। କୃଷକ ସଂଗଠନଗୁଡ଼ିକ ଉକ୍ତ କମିଟିର ନିରପେକ୍ଷତାକୁ ନେଇ ସମାଲୋଚନା କରିଥିବାରୁ ସର୍ବୋଚ୍ଚ ଅଦାଲତ ସେମାନଙ୍କୁ ଭର୍ତ୍ସନା କରିଛନ୍ତିି। ଆଇନ ଉପରେ ନିଷ୍ପତ୍ତି ନେବାର କ୍ଷମତା କମିଟିର ନାହିଁ। ସେମାନେ ସବୁ ପକ୍ଷଙ୍କ ମତାମତ ଶୁଣି ରିପୋର୍ଟ ଦାଖଲ କରିବାକୁ କ୍ଷମତା ଦିଆଯାଇଛି। ଏଥିରେ ପକ୍ଷପାତର ପ୍ରଶ୍ନ ଉଠିଲା କେଉଁଠୁ ବୋଲି ଖଣ୍ଡପୀଠ ପ୍ରଶ୍ନ କରିଥିଲେ।
କୃଷକ ସଂଗଠନ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଆଇନଜୀବୀ ଦୁଷ୍ୟନ୍ତ ଡାଭେ ଏବଂ ପ୍ରଶାନ୍ତ ଭୂଷଣ ଅଦାଲତଙ୍କୁ ଜଣାଇଥିଲେ, ଆନ୍ଦୋଳନରତ ଚାଷୀ ସଂଗଠନଗୁଡ଼ିକ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ କମିଟି ଆଗରେ ହାଜର ହେବେନାହିଁ। କମିଟି ସଦସ୍ୟଙ୍କ ମଧ୍ୟରୁ କେତେଜଣ ପୂର୍ବରୁ କୃଷି ଆଇନ ସପକ୍ଷରେ ମତ ଦେଇଥିବାରୁ ସେମାନଙ୍କ ନିରପେକ୍ଷତାକୁ ନେଇ ଚାଷୀମାନେ ସନ୍ଦେହ ପ୍ରକଟ କରୁଛନ୍ତି। ଏହି ବିବାଦ ପରେ କମିଟିରୁ ଭୂପିନ୍ଦର ସିଂ ମାନ୍‌ ଓହରିଯାଇଛନ୍ତି। ମଧ୍ୟସ୍ଥତା ପ୍ରକ୍ରିୟାରେ ଭାଗ ନ ନେବା ଲାଗି କୃଷକମାନଙ୍କ ନିଷ୍ପତ୍ତିକୁ ପ୍ରଧାନ ବିଚାରପତି ଏସ୍‌.ଏ. ବୋବ୍‌ଡେଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ହାଲ୍‌କା ଭାବେ ନେଇଥିଲେ। ସେମାନେ କମିଟି ଆଗରେ ହାଜର ହେବେ କି ନାହିଁ, ତାହା ସେମାନଙ୍କ ନିଷ୍ପତ୍ତି। ତେବେ ବିଶେଷଜ୍ଞମାନଙ୍କ ପୂର୍ବ ମତାମତ ପାଇଁ ସେମାନଙ୍କୁ କୃଷକ ସଂଗଠନଗୁଡ଼ିକ ନିନ୍ଦା କରିପାରିବେ ନାହିଁ କି ଅଦାଲତ ଉପରେ କଳଙ୍କ ଲଗାଇପାରିବେ ନାହିଁ ବୋଲି ପ୍ରଧାନ ବିଚାରପତି ବୋବ୍‌ଡେ କହିଥିଲେ। ସେହିପରି କମିଟି ପୁନର୍ଗଠନ ଆବେଦନ ଉପରେ ଅଦାଲତ କେନ୍ଦ୍ର ସରକାରଙ୍କୁ ଜବାବ ମାଗିଥିଲେ।

ଟ୍ରାକ୍ଟର ରାଲି: ପିଟିଶନ ପ୍ରତ୍ୟାହାର କଲା କେନ୍ଦ୍ର

ସାଧାରଣତନ୍ତ୍ର ଦିବସରେ ଚାଷୀମାନେ ଦିଲ୍ଲୀରେ ଟ୍ରାକ୍ଟର ରାଲି କରିବାକୁ ଯାଉଥିବାବେଳେ ଏହାକୁ ବନ୍ଦ କରିବା ଲାଗି ନିର୍ଦ୍ଦେଶ ଦେବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଆବେଦନ ହୋଇଥିଲା। ତେବେ ରାଲି କରିବା ଚାଷୀମାନଙ୍କ ଅଧିକାର ବୋଲି ସୁପ୍ରିମକୋର୍ଟ ବୁଧବାର କହିବା ପରେ ସରକାର ତାଙ୍କ ପିଟିଶନ ପ୍ରତ୍ୟାହାର କରିନେଇଛନ୍ତି। ଦିଲ୍ଲୀରେ ପ୍ରସ୍ତାବିିତ ଟ୍ରାକ୍ଟର ରାଲିକୁ ନିୟନ୍ତ୍ରଣ କରିବା ଲାଗି ପୋଲିସ ହାତରେ କ୍ଷମତା ରହିଛି। ଏନେଇ ଅଦାଲତ ରାୟ ପ୍ରକାଶ କରିବା ଆବଶ୍ୟକ ନାହିଁ ବୋଲି ପ୍ରଧାନ ବିଚାରପତି ଏସ୍‌.ଏ. ବୋବ୍‌ଡେଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଥିଲେ।

Share