ମନ୍ଦ ଉଦ୍ଦେଶ୍ୟ ନେଇ ରତ୍ନଭଣ୍ଡାର କମିଟି ଭଙ୍ଗାଯାଇଛି: ବିଜେଡି

ଭୁବନେଶ୍ୱର,୬ା୭(ଅନିଲ ଦାସ/ସୁନିତ୍‌ ମିଶ୍ର): ରତ୍ନଭଣ୍ଡାର ଖୋଲିବା ପାଇଁ ରାଜ୍ୟର ନବଗଠିତ ଭାଜପା ସରକାର ଗୁରୁବାର ୧୬ଜଣିଆ କମିଟି ଗଠନ କରିଛନ୍ତି। ତେବେ ସରକାରଙ୍କ ଏହି ପଦକ୍ଷେପକୁ ବିଜେଡି ସମାଲୋଚନା କରିଛି। ଏହାକୁ ନେଇ ବିଜେଡି ଏବଂ ଭାଜପା ମୁହଁାମୁହିଁ ହୋଇଛନ୍ତି। ମନ୍ଦ ଉଦ୍ଦେଶ୍ୟ ରଖି ବିଜେଡି ସରକାର ସମୟରେ ଗଠନ କରାଯାଇଥିବା ରତ୍ନଭଣ୍ଡାର କମିଟି ଭଙ୍ଗାଯାଇ ନୂଆ କମିଟି କରାଯାଇଛି ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି। ସେ କହିଛନ୍ତି, ଜଷ୍ଟିସ ଅରିଜିତ ପଶାୟତ ଜଣେ ସୁନାମଧନ୍ୟ ବ୍ୟକ୍ତି। ମନ୍ଦ ଉଦ୍ଦେଶ୍ୟ ରଖି ତାଙ୍କୁ କମିଟିରୁ ହଟାଇ ଦିଆଯାଇଛି। ନୂଆ ସରକାର କେତେବେଳେ କ’ଣ କହୁଛନ୍ତି ତାହାର କୌଣସି ଠିକ୍‌ଠିକଣା ନାହିଁ। କେତେବେଳେ ରତ୍ନଭଣ୍ଡାର ଖୋଲିବା ତାରିଖ ଘୋଷଣା କରୁଛନ୍ତି ତ ପୁଣି କେତେବେଳେ ମନା କରୁଛନ୍ତି। ଭାଜପା ସରକାରର ଉଦ୍ଦେଶ୍ୟ ଓଡ଼ିଶାବାସୀ ଜାଣିଛନ୍ତି। ନୂଆ ସରକାର ଠିକ୍‌ କଥା କରିବେନି କି ଠିକ୍‌ ବାଟରେ ଯିବେନି। ଖାଲି ଭୁଆଁ ବୁଲେଇବେ ବୋଲି ପ୍ରମିଳା କହିଛନ୍ତି। ପ୍ରମିଳାଙ୍କ ମନ୍ତବ୍ୟ ସମ୍ପର୍କରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ଜଣେ ଯଦି ଲଜ୍ଜାହୀନ ହେବ ତେବେ ତାଙ୍କ ପାଇଁ କିଛି ଉତ୍ତର ନାହିଁ। ବିଜେଡି ୨୪ ବର୍ଷ ସରକାରରେ ଥାଇ ମଧ୍ୟ ରତ୍ନଭଣ୍ଡାର ଖୋଲିପାରିଲା ନାହିଁ। ରତ୍ନଭଣ୍ଡାର ଅଳଙ୍କାରକୁ ତାଲିକାଭୁକ୍ତ କରିବାର ଥିଲା, ତାକୁ ମଧ୍ୟ କରିପାରିଲେ ନାହିଁ। ଆଜି ତାରିଖରେ ସେମାନେ ଯଦି କହିବେ କାହିଁକି କମିଟି ଭଙ୍ଗାଗଲା ଏବଂ ଅଳଙ୍କାର ଗଣତି ବାବଦରେ ସରକାର ନେଉଥିବା ନିଷ୍ପତ୍ତିକୁ ସମାଲୋଚନା କରିବେ ତା’ଠାରୁ ଦୁର୍ଭାଗ୍ୟଜନକ ଆଉ କିଛି ନାହିଁ। ଆମ ସରକାରକୁ ପ୍ରାୟ ୨୫ ଦିନ ହୋଇଛି। ଏହି କମ୍‌ ସମୟ ମଧ୍ୟରେ ରତ୍ନଭଣ୍ଡାର ଖୋଲିବା ପାଇଁ କମିଟି ଗଢ଼ିଛୁ। ରତ୍ନଭଣ୍ଡାର ଖୋଲିବା ଏବଂ ରତ୍ନ ଅଳଙ୍କାର ଗଣତି ସମ୍ପର୍କରେ କମିଟି ଶନିବାର ନିଷ୍ପତ୍ତି ନେବ। ସ୍ପଷ୍ଟ ଭାବେ କହୁଛୁ ଯେ, ରତ୍ନଭଣ୍ଡାର ଯଥାସମୟରେ ଖୋଲାଯିବ ଏବଂ ତା’ର ଇନଭେନଣ୍ଟରି ମ୍ୟାଚିଂ ହେବା ସହିତ ପ୍ରତ୍ୟେକ ଫଟୋଗ୍ରାଫିକୁ ଡିଜିଟାଇଜେଶନ କରାଯାଇ ରଖାଯିବ।