ସାଧାରଣ ଶୈଶବ ଟିକା କୋଭିଡ୍‌ ଜଟିଳତାକୁ ରୋକିପାରିବ

ଓ୍ବାଶିଂଟନ,୨୮ା୬(ପି.ଟି.): ମିଳିମିଳା ପ୍ରତିକାର ପାଇଁ ବ୍ୟବହାର ହେଉଥିବା ଟିକା କୋଭିଡ୍‌-୧୯ ଜନିତ ଗୁରୁତର ଫୁସ୍‌ଫୁସ୍‌ ପ୍ରଦାହକୁ ରୋକିପାରିବ ବୋଲି ଏକ ଅଧ୍ୟୟନରୁ ଜଣାପଡ଼ିଛି। ଫଳରେ କରୋନା ମହାମାରୀର ବିପଦରୁ ମୁକୁଳିବା ଲାଗି ଏକ ନୂଆ ସୂତ୍ର ବାହାରିବାକୁ ଯାଉଛି। ଏମ୍‌ବାୟୋ ପତ୍ରିକାରେ ପ୍ରକାଶିତ ଉକ୍ତ ଗବେଷଣାରେ କୁହାଯାଇଛି, ଜୀବନ୍ତ ଦୁର୍ବଳ ଭୂତାଣୁରୁ ପ୍ରସ୍ତୁତ ଟିକା ରୋଗ ପ୍ରତିରୋଧକ ସେଲ୍‌ଗୁଡ଼ିକୁ ସକ୍ରିୟ କରିପାରେ। ଏହା ରୋଗ ପ୍ରତିରୋଧକ ବ୍ୟବସ୍ଥାର ହ୍ବାଇଟ୍‌ ବ୍ଲଡ୍‌ ସେଲ୍‌ଗୁଡ଼ିକୁ ଅନ୍ୟ ସଂକ୍ରମଣକୁ ପ୍ରତିରୋଧ କରିବା ଲାଗି ତାଲିମ କରିଦିଏ। ଆମେରିକାର ଲୁଇସିଆନା ଷ୍ଟେଟ୍‌ ୟୁନିଭର୍ସିଟିର ଗବେଷକମାନେ ଏହା ଲାବରେଟୋରିରେ ପ୍ରମାଣିତ କରିଛନ୍ତି। ଶୈଶବାବସ୍ଥାରେ ପିଲାଙ୍କୁ ମିଳିମିଳା, ରୁବେଲା ଆଦି ରୋଗ ଦାଉରୁ ସୁରକ୍ଷା ପାଇଁ ଦିଆଯାଉଥିବା ଟିକାକୁ ସିଧାସଳଖ କୋଭିଡ୍‌-୧୯ ରୋଗୀଙ୍କ କ୍ଷେତ୍ରରେ ପ୍ରୟୋଗ କରିବାକୁ ବୈଜ୍ଞାନିକମାନେ ପ୍ରସ୍ତାବ ଦେଇନାହାନ୍ତି। ତେବେ କୋଭିଡ୍‌ର ଗୁରୁତର ଲକ୍ଷଣ ଥିବା ରୋଗୀଙ୍କ କ୍ଷେତ୍ରରେ ଏହା ପ୍ରତିଷେଧକ ବ୍ୟବସ୍ଥା ଭାବେ କାର୍ଯ୍ୟ କରିପାରିବ ବୋଲି ସେମାନେ କହିଛନ୍ତି।

Share