ନାଗ ଗିଳି ଦେଲା କଫ ସିରପ ବୋତଲ, ଉଦ୍ଧାର କଲା ସ୍ନେକ ହେଲ୍ପ ଲାଇନ

ଭୁବନେଶ୍ୱର,୩।୭: କଫ ସିରପ ବୋତଲ ଗିଳି ଦେଇଥିବା ଏକ ନାଗ ସାପକୁ ଉଦ୍ଧାର କରିଛନ୍ତି ସ୍ନେକ ହେଲ୍ପଲାଇନ୍‌। ଠିକଣା ସମୟରେ ପଦକ୍ଷେପ ପାଇଁ ଏକ ସାଧାରଣ ନାଗର ଜୀବନ ବଞ୍ଚି ଯାଇଛି। ଏହି ଘଟଣାର ସୂଚନା ଜଙ୍ଗଲ ବନ୍ୟପ୍ରାଣୀ (ପିସିସିଏଫ୍) ର ମୁଖ୍ୟ ସୁଶାନ୍ତ ନନ୍ଦ ତାଙ୍କ ଅଫିସିଆଲ୍ ଏକ୍ସ’ରେ ସେୟାର କରିଛନ୍ତି।

ନନ୍ଦ ତାଙ୍କ ପୋଷ୍ଟରେ ଲେଖିଛନ୍ତି, “ଏକ ସାଧାରଣ ନାଗ ଭୁବନେଶ୍ୱରରେ କଫ ସିରପ ବୋତଲ ଗିଳି ଦେଇଥିଲା ଏବଂ ଏହାକୁ ବାହାର କରିବାକୁ ସଂଘର୍ଷ କରୁଥିଲା। ସ୍ନେକ ହେଲ୍ପଲାଇନରୁ ଆସିଥିବା ସ୍ୱେଚ୍ଛାସେବୀମାନେ ଧୀରେ ଧୀରେ ବୋତଲଟିକୁ ବାହାର କରି ଏକ ମୂଲ୍ୟବାନ ଜୀବନ ରକ୍ଷା କରିଥିଲେ।” କଫ ସିରପ ବୋତଲ କାଢ଼ିବା ପରେ ସାପକୁ ଏକ ସୁରକ୍ଷିତ ସ୍ଥାନରେ ଛାଡି ଦିଆଯାଇଛି।

ଅନେକ ସମୟରେ ସାଧାରଣ ଲୋକଙ୍କ ଦାୟିତ୍ବହୀନତା ପାଇଁ ନାନା ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଛନ୍ତି ବନ୍ୟଜନ୍ତୁ। କେତେବେଳେ ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲ ଛାଡି ଜନବସତି ଅଞ୍ଚଳକୁ ପଶି ଆସୁଥିଲା ବେଳେ ଅନେକ ସମୟରେ ପ୍ଲାଷ୍ଟିକ କିମ୍ବା ବିଷାକ୍ତ ଜିନିଷ ଖାଇ ମୃତ୍ୟୁ ମୁଖରେ ପଡୁଛନ୍ତି। ଏଦିଗରେ ଲୋକମାନେ ଅଧିକ ଦାୟିତ୍ୱବାନ ହେବା ଉଚିତ।