ସାଧାରଣ କାଶ ବି ହୋଇପାରେ ଓମିକ୍ରନ୍‌ ଲକ୍ଷଣ…

ଲଣ୍ଡନ/ନୂଆଦିଲ୍ଲୀ, ୨୧।୧୨: ପୃଥିବୀରେ କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଓମିକ୍ରନ ଆକ୍ରାନ୍ତଙ୍କୁ ବିଶ୍ଳେଷଣ କରୁଥିବା ବୈଜ୍ଞାନିକମାନେ ଏକ ରିପୋର୍ଟ ପ୍ରକାଶ କରିଛନ୍ତି। ଏଥିରେ ଉଲ୍ଲେଖ କରାଯାଇଛି ଯେ ଦକ୍ଷିଣଆଫ୍ରିକାରେ ଓମିକ୍ରନ ଆକ୍ରାନ୍ତଙ୍କଠାରେ ଦେଖାଯାଉଥିବା ଏକ ସାଧାରଣ ଲକ୍ଷଣ ହେଉଛି କାଶ।

ତେଣୁ ଯଦି ଗଳାରେ ସାମାନ୍ୟ ଯନ୍ତ୍ରଣା ହୁଏ, କିମ୍ବା କାଶ ହୁଏ ତେବେ ଏହା ଓମିକ୍ରନର ମଧ୍ୟ ଲକ୍ଷଣ ହୋଇପାରେ। ଦକ୍ଷିଣ ଆଫ୍ରିକାର ଡିସକଭରି ହେଲଥର ସିଇଓ ଡକ୍ଟର ରୟାନ ନୋଚ କହିଛନ୍ତି ଯେ ଓମିକ୍ରନ ଆକ୍ରାନ୍ତମାନଙ୍କଠାରେ ଡାକ୍ତରମାନେ ସାମାନ୍ୟ ଭିନ୍ନ ଲକ୍ଷଣ ଚିହ୍ନଟ କରିଛନ୍ତି।

ବ୍ରିଟେନରେ ଆକ୍ରାନ୍ତମାନଙ୍କର ମୁଣ୍ଡବିନ୍ଧା ଏବଂ ଥକାପଣ ସହିତ ଚାରୋଟି ଲକ୍ଷଣ ରହିଥିବା ପ୍ରମାଣିତ ହୋଇଛି। ଡିସେମ୍ବର ୩ ରୁ ଡିସେମ୍ବର ୧୦ମଧ୍ୟରେ ବ୍ରିଟେନରେ ହୋଇଥିବା ମାମଲାଗୁଡ଼ିକର ବିଶ୍ଳେଷଣରୁ ଜଣାପଡିଛି ଯେ ମୁଖ୍ୟତ ଥଣ୍ଡା ଭଳି ଲକ୍ଷଣଗୁଡ଼ିକ ଓମିକ୍ରନର ସବୁଠାରୁ ସାଧାରଣ ଲକ୍ଷଣ। ଲକ୍ଷଣ ଟ୍ରାକିଂ ଅଧ୍ୟୟନରେ ରିପୋର୍ଟ ହୋଇଥିବା ଲକ୍ଷଣଗୁଡ଼ିକ ହେଉଛି ନାକ ବହିବା, ମୁଣ୍ଡବିନ୍ଧା, ଥକାପଣ, ଛିଙ୍କିବା ଏବଂ ଗଳାରେ ଯନ୍ତ୍ରଣା ହେବା ସହ କାଶ ଆଦି ଲକ୍ଷଣ ପ୍ରକାଶ ପାଇଥାଏ।

ଅଧିକ ଜନସଂଖ୍ୟା ବିଶିଷ୍ଟ ଦେଶମାନଙ୍କରେ ଓମିକ୍ରନ ଦ୍ରୁତ ଗତିରେ ବ୍ୟାପୁଛି ଏବଂ ଏହି ଦେଶଗୁଡିକରେ କ୍ରମାଗତ ଭାବରେ ମାମଲା ବୃଦ୍ଧି ପାଉଛି। ଯେଉଁଠାରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କା ରହିଥାଏ, ସେଠାରେ ଓମିକ୍ରନ ଦ୍ରୁତ ଗତିରେ ବ୍ୟାପିଥାଏ।

ବ୍ରିଟେନର ଜୋଏ କୋଭିଡ୍‌ ଅଧ୍ୟୟନର ମୁଖ୍ୟ ବୈଜ୍ଞାନିକ ପ୍ରଫେସର ଟିମ ସ୍ପେକ୍ଟର କହିଛନ୍ତି ଯେ ସଦ୍ୟତମ ତଥ୍ୟରୁ ଜଣାପଡିଛି ଯେ ଓମିକ୍ରନର ଲକ୍ଷଣଗୁଡ଼ିକ ସାଧାରଣ ଥଣ୍ଡା ବେଳେ ଦେଖାଯାଉଥିବା ସମସ୍ୟା ସହ ସମାନ। ତେଣୁ ଏଭଳି କିଛି ଲକ୍ଷଣ ପ୍ରକାଶ ପାଇଲେ ଏହାକୁ ଅଣଦେଖା ନ କରି ଶୀଘ୍ର ଏହାର ଉପାୟ କରିବା ଆବଶ୍ୟକ।

Share