ୟୁଜି ନାମଲେଖା: ଏଣିକି ଦେଶରେ ଏକକ ପ୍ରବେଶିକା ପରୀକ୍ଷା

ନୂଆଦିଲ୍ଲୀ/ଭୁବନେଶ୍ୱର(ବ୍ୟୁରୋ, ୨୨।୩: ସାରା ଦେଶରେ ଏଣିକି କଲେଜରେ ନାମଲେଖା ପାଇଁ ଏକକ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଆଉ ଦ୍ୱାଦଶ ଶ୍ରେଣୀର ମାର୍କ ଭିତ୍ତିରେ ଛାତ୍ରୀଛାତ୍ରଙ୍କୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟଗୁଡ଼ିକରେ ନାମ ଲେଖାଇବାକୁ ଅନୁମତି ମିଳିବ ନାହିଁ। ବିଭିନ୍ନ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ନାମ ଲେଖାଇବାକୁ ଅଣ୍ଡର ଗ୍ରାଜୁଏଟ୍‌ (ୟୁଜି) ୧୦୦% କଟ୍‌ ଅଫ୍‌ ମାର୍କ ଧାର୍ଯ୍ୟ କରୁଥିବାରୁ ୟୁଜିସି ପକ୍ଷରୁ ଏକକ ପ୍ରବେଶିକା ପରୀକ୍ଷା ପାଇଁ ନିଷ୍ପତ୍ତି ନିଆଯାଇଛି। ଏ ନେଇ ୟୁଜିସି ମୁଖ୍ୟ ଏମ୍‌. ଜଗଦେଶ କୁମାର ମଙ୍ଗଳବାର ସୂଚନା ଦେଇଛନ୍ତି।

ସେ କହିଛନ୍ତି, ଜୁଲାଇ ମାସର ପ୍ରଥମ ସପ୍ତାହରେ ଏହି କମନ ୟୁନିଭର୍ସିଟି ଏଜୁକେଶନ ଟେଷ୍ଟ (ସିୟୁଇଟି) ଅନୁଷ୍ଠିତ ହେବ। ଏହି ପ୍ରବେଶିକା ପରୀକ୍ଷା ପାଇଁ ଅନ୍‌ଲାଇନରେ ଆବେଦନ ପ୍ରକ୍ରିୟା ଏପ୍ରିଲ ପ୍ରଥମ ସପ୍ତାହରୁ ଆରମ୍ଭ ହେବ। ଦ୍ୱାଦଶ ଶ୍ରେଣୀ ପାଠ୍ୟକ୍ରମ ଆଧାରରେ ପ୍ରବେଶିକା ପରୀକ୍ଷାରେ ପ୍ରଶ୍ନ ପଡ଼ିବ। ଏହି ଏକକ ପ୍ରବେଶିକା ପରୀକ୍ଷା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି(ଏନ୍‌ଟିଏ) ପକ୍ଷରୁ ଆୟୋଜନ କରାଯିବ। ଏକକ ପ୍ରବେଶିକା ପରୀକ୍ଷା ବର୍ତ୍ତମାନ ସମସ୍ତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପାଇଁ ବାଧ୍ୟତାମୂଳକ। ଏଥିସହ ୟୁଜିସି ପକ୍ଷରୁ ସମସ୍ତ ରାଜ୍ୟ, ସରକାରୀ ଅନୁମୋଦିତ ସଂସ୍ଥା ଏବଂ ଘରୋଇ ବିଶ୍ୱବିଦ୍ୟାଳୟଗୁଡ଼ିକୁ ମଧ୍ୟ ନାମ ଲେଖାଇବା ପାଇଁ ଏକକ ପ୍ରବେଶିକା ପରୀକ୍ଷା ଆୟୋଜନ କରିବାକୁ କୁହାଯାଇଛି। ଦ୍ୱାଦଶ ଶ୍ରେଣୀ ପାସ୍‌ କରିଥିବା ଯେକୌଣସି ଛାତ୍ରୀଛାତ୍ର ଏକକ ପ୍ରବେଶିକା ଦେଇପାରିବେ।

Share