Categories: ଜାତୀୟ

ସୁଦୃଢ଼ ଅର୍ଥବ୍ୟବସ୍ଥା ପାଇଁ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟ ଜରୁରୀ, କହିଲେ ରଘୁରାମ ରାଜନ…

ରାୟପୁର, ୩୧।୭ : ଛତିଶଗଡର ରାଜଧାନୀ ରାୟପୁରରେ ଦୁଇ ଦିନିଆ ଅଲ ଇଣ୍ଡିଆ ପ୍ରଫେସନାଲ କଂଗ୍ରେସ ସମ୍ମିଳନୀରେ ଦେଶର ବିଭିନ୍ନ ସ୍ଥାନରୁ ପ୍ରଫେସନାଲମାନେ ଯୋଗ ଦେଇଛନ୍ତି। ଭାରତର ଅର୍ଥନୈତିକ ବିକାଶ ପାଇଁ ଉଦାରବାଦୀ ଗଣତନ୍ତ୍ର କାହିଁକି ଆବଶ୍ୟକ ସେନେଇ ବକ୍ତାମାନେ ନିଜସ୍ବ ମତ ପ୍ରଦାନ କରଛନ୍ତି। ଏହି ସମ୍ମିଳନୀକୁ ସମ୍ବୋଧିତ କରି ଆରବିଆଇର ପୂର୍ବତନ ଗଭର୍ନର ରଘୁରାମ ରାଜନ କହିଛନ୍ତି ଯେ ଏକ ସୁଦୃଢ଼ ଅର୍ଥନୀତି ପାଇଁ ଦେଶରେ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏନଡିଟିଭି ସହ କଥାବାର୍ତ୍ତା କରି ରଘୁରାମ ରାଜନ କହିଛନ୍ତି ଯେ ଦେଶରେ ନିଯୁକ୍ତି ସୁଯୋଗ ସୃଷ୍ଟି ନୀତି ଉପରେ କାର୍ଯ୍ୟ କରିବା ଆବଶ୍ୟକ। ସେ କହିଛନ୍ତି ଯେ ଯଦି ସଂଖ୍ୟାଲଘୁଙ୍କ ଉପରେ ଚାପ ପ୍ରୟୋଗ କରାଯାଏ ତେବେ ବିଭାଜନ ହେବ। ତେଣୁ ଅର୍ଥନୀତି ପାଇଁ ସାମ୍ପ୍ରଦାୟିକ ସମନ୍ବୟ ଆବଶ୍ୟକ।

ଭାରତକୁ ଶ୍ରୀଲଙ୍କା ସହିତ ତୁଳନା କରିବାର ପ୍ରଶ୍ନ ଉପରେ ସେ କହିଛନ୍ତି, ବର୍ତ୍ତମାନ ଆମେ ଶ୍ରୀଲଙ୍କା ଠାରୁ ଦୂରରେ ଅଛୁ ଏବଂ ଦୂରରେ ରହିବା ଉଚିତ ମଧ୍ୟ। ଯଦି ଆମେ ସେହି ମାର୍ଗକୁ ଯିବା ତେବେ ଏହା ଦେଶ ପାଇଁ ବିପଜ୍ଜନକ ହୋଇପାରେ। ୧୯୮୦ରେ ଶ୍ରୀଲଙ୍କାରେ ତାମିଲମାନଙ୍କୁ ଦମନ କରାଯାଇଥିଲା। ଏହା ପରେ ଏକ ଗୃହଯୁଦ୍ଧ ହୋଇଥିଲା, ଯେଉଁଥିପାଇଁ ସେମାନଙ୍କର ଅର୍ଥନୀତି ହ୍ରାସ ପାଇଲା। ରଘୁରାମ ରାଜନ କହିଛନ୍ତି, ମୋ ମତରେ, ଭାରତୀୟ ଅର୍ଥନୀତିକୁ ଦେଖିଲେ ଏଥିରେ ଏକ ବଡ ସମସ୍ୟା ହେଉଛି ନିଯୁକ୍ତି। ଯଦି ଆମେ ଚାକିରୀ ବୃଦ୍ଧି କରିବାକୁ ଚାହୁଁ, ତେବେ କେଉଁ ନୀତି ଗ୍ରହଣ କରାଯିବା ଉଚିତ, ଏହା ଆମର ସବୁଠୁ ବଡ ପ୍ରଶ୍ନ। ତେଣୁ ଭିତ୍ତିିଭୂମି ବିକାଶ, ଉଦ୍ୟୋଗୀତା ନିଯୁକ୍ତି ବୃଦ୍ଧି କରିବା ଜରୁରୀ। ଅନେକ ଛୋଟ ସଂସ୍ଥା ମଧ୍ୟ ବହୁ ନିଯୁକ୍ତି ସୃଷ୍ଟି କରନ୍ତି। ଏଭଳି ପରିସ୍ଥିତିରେ ଏଭଳି ନୀତି ସୃଷ୍ଟି କରିବା ସହିତ ଏହାକୁ କାର୍ଯ୍ୟକାରୀ କରିବାକୁ ପଡିବ ବୋଲି ସେ କହିଛନ୍ତି।

Share