Categories: ଜାତୀୟ

ସାମ୍ପ୍ରଦାୟିକ ଦଙ୍ଗା ଆଗ୍ନେୟଗିରି ଲାଭା ଭଳି ଭବିଷ୍ୟତରେ ପ୍ରତିହିଂସା ସୃଷ୍ଟି କରେ, କହିଲେ ସିବଲ…

ନୂଆଦିଲ୍ଲୀ,୧୦।୧୧: ସାମ୍ପ୍ରଦାୟିକ ଦଙ୍ଗା ଆଗ୍ନେୟଗିରିରୁ ଉଦ୍‌ଗୀରଣ ହେଉଥିବା ଲାଭା ଭଳି ଭବିଷ୍ୟତରେ ପ୍ରତିହିଂସା ସୃଷ୍ଟି କରେ। ଏହା ଆଗ୍ନେୟଗିରି ଭଳି ଶାନ୍ତ ହେବାକୁ ମଧ୍ୟ ଅଧିକ ସମୟ ନେଇଥାଏ ବୋଲି ଗୁଜରାଟ ଦଙ୍ଗା ମାମଲାର ଶୁଣାଣି ସମୟରେ ବରିଷ୍ଠ ଆଇନଜୀବୀ କପିଲ୍‌ ସିବଲ ଭାବୁକ ହୋଇ ଏଭଳି ମନ୍ତବ୍ୟ ଦେଇଛନ୍ତି। ଦେଶ ବିଭାଜନ ସମୟରେ ସେ ନିଜ ଆଈ ଏବଂ ଅଜାଙ୍କୁ ହରାଇ ଥିବା କହି ଦୁଃଖ ପ୍ରକାଶ କରିଥିଲେ।

୨୦୦୨ରେ ଗୁଜରାଟ ଦଙ୍ଗାରେ ମୃତ୍ୟୁ ଘଟିଥିବା କଂଗ୍ରେସ ନେତା ଏହସାନ ଜାକରିଙ୍କ ସ୍ତ୍ରୀ ଜାକିଆ ଜାକରିଙ୍କ ପକ୍ଷରୁ ଦାଖଲ ହୋଇଥିବା ମାମଲାର ଶୁଣାଣି ସମୟରେ ସିବଲ କହିଛନ୍ତି ଯେ, ଏହି ଦଙ୍ଗାରେ ବଡ଼ ଧରଣର ଷଡ଼ଯନ୍ତ୍ର ରଚାଯାଇଥିଲା। ଏହି ଅଭିଯୋଗରେ ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅନ୍ୟ ଉଚ୍ଚ ପଦାଧିକାରୀଙ୍କୁ ସ୍ବତନ୍ତ୍ର ଯାଞ୍ଚ୍‌ ଦଳ ପକ୍ଷରୁ କ୍ଲିନ୍‌ ଚିଟ୍‌ ଦିଆଯାଇଥିବା ନେଇ ଚ୍ୟାଲେଞ୍ଜ୍‌ କରାଯାଇଛି।

ବିଚାରପତି ଏମ.ଏମ୍‌.ଖାନିଓ୍ବିଲକର, ଦିନେଶ ମାହେଶ୍ୱରୀ ଏବଂ ସି.ଟି.ରବିକୁମାରଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠଙ୍କ ସମ୍ମୁଖରେ ସିବଲ ଯୁକ୍ତି ଦର୍ଶାଇଥିଲେ ଯେ, ଏସ୍‌ଆଇଟି ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରମାଣକୁ ଅଣଦେଖା କରି ବିନା ଉଚିତ ଯାଞ୍ଚରେ କ୍ଲୋଜର ରିପୋର୍ଟ ପ୍ରସ୍ତୁତ କରିଥିଲେ। ତେବେ ଏହାର ପ୍ରଭାବ ଏବେ ଭବିଷ୍ୟତରେ ଅନୁଭୁତ ହେବାର ଆଶଙ୍କା ରହିଥିବା ସିବଲ କହିଛନ୍ତି।

ସିବଲ କହିଛନ୍ତି ଯେ, ଏନେଇ କାହାକୁ ଦୋଷ ଦିଆଯାଇ ପାରିବ ନାହିଁ। ତେବେ ଏହା ସମଗ୍ର ପୃଥିବୀ ପାଇଁ ଏକ ଅସହ୍ୟ ଯନ୍ତ୍ରଣା ଦାୟକ ସ୍ଥିତି ସୃଷ୍ଟି କରିଥାଏ। ଏହି ଅବସରରେ ସେ କହିଛନ୍ତି ଯେ, ତହଲ୍‌କା ପତ୍ରିକା ଦ୍ୱାରା କରାଯାଇଥିବା ଷ୍ଟିଙ୍ଗ୍‌ ଅପରେଶନ୍‌ ଟେପ୍‌କୁ ଏସ୍‌ଆଇଟି ପକ୍ଷରୁ ଅଣଦେଖା କରାଯାଇଛି।

Share