ଜାମସେଦପୁରରେ ସାମ୍ପ୍ରଦାୟିକ ହିଂସା

ନୂଆଦିଲ୍ଲୀ, ୧୧ା୪: ରାମନବମୀ ପତାକାକୁ ଅପବିତ୍ର କରାଯିବା ଅଭିଯୋଗକୁ ନେଇ ରବିବାର ଝାଡ଼ଖଣ୍ଡର ଜାମସେଦପୁର ଅନ୍ତର୍ଗତ ଶାସ୍ତ୍ରୀନଗର ଅଞ୍ଚଳରେ ସାମ୍ପ୍ରଦାୟିକ ହିଂସାକାଣ୍ଡ ଘଟିଯାଇଛି। ଦୁଇ ଗୋଷ୍ଠୀର ଲୋକେ ପରସ୍ପରକୁ ଟେକାମାଡ଼ କରିବା ସହ ଅସ୍ଥାୟୀ ଦୋକାନ ଓ କେତେକ ଗାଡ଼ି ଜାଳିଦେଇଥିଲେ। ପୂର୍ବ ସିଂହଭୂମ ପୋଲିସ ସୋମବାର ଏତଲା ଦାଏର କରିଛି। ହିଂସା ମାମଲାରେ ଜଣେ ସ୍ଥାନୀୟ ଭାଜପା ନେତା ଅଭୟ ସିଂଙ୍କ ସମେତ ୬୦ ଜଣଙ୍କୁ ଗିରଫ କରାଯାଇଥିବାବେଳେ ୧,୧୨୦ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି। ଉକ୍ତ ଅଞ୍ଚଳରେ ଉତ୍ତେଜନା ଲାଗି ରହିଥିବାରୁ ୧୪୪ ଧାରା ଜାରି ହୋଇଛି। ଏଥିସହ ଶାସ୍ତ୍ରୀନଗର ଅଞ୍ଚଳରେ ଇଣ୍ଟରନେଟ ସେବାକୁ ବନ୍ଦ କରିଦିଆଯାଇଛି। ସୋମବାର ସକାଳେ ଓ ସନ୍ଧ୍ୟାରେ ପୋଲିସ ପକ୍ଷରୁ ସେଠାରେ ଫ୍ଲାଗ୍‌ମାର୍ଚ୍ଚ କରାଯାଇଥିଲା।
ପତାକାରେ ମାଂସ ବନ୍ଧାଯାଇଥିବା ସ୍ଥାନୀୟ ସଂଗଠନର କେତେଜଣ ସଦସ୍ୟ ଦେଖିବା ପରେ ଶନିବାର ରାତିରୁ ଉକ୍ତ ଅଞ୍ଚଳରେ ଉତ୍ତେଜନା ଲାଗିରହିଥିଲା। ଏହାକୁ ନେଇ ରବିବାର ଦୁଇ ଗୋଷ୍ଠୀ ମଧ୍ୟରେ ହିଂସାତ୍ମକ ସଂଘର୍ଷ ହୋଇଥିଲା ବୋଲି ପୋଲିସ କହିଛି। କେତେଜଣ ଅସାମାଜିକ ତତ୍ତ୍ୱ ଶାନ୍ତି ଭଙ୍ଗ କରିବା ଲାଗି ଉଦ୍ୟମ ଚଳାଇଛନ୍ତି ବୋଲି ପୂର୍ବ ସିଂହଭୂମ ଜିଲା ଡେପୁଟି କମିଶନର ବିଜୟ ଯାଦବ କହିଛନ୍ତି। ସେମାନଙ୍କ ଷଡ଼ଯନ୍ତ୍ରକୁ ପଣ୍ଡ କରିବା ଲାଗି ସେ ଜନସାଧାରଣଙ୍କ ସହଯୋଗ ଲୋଡ଼ିଛନ୍ତି।

Share