Categories: ଜାତୀୟ

ଜନ୍ମ ସହିତ ସମ୍ପ୍ରଦାୟ ଜଡ଼ିତ, ଅନ୍ୟ ଧର୍ମରେ ବିବାହ କଲେ ବି ମିଳିବ ମୂଳ ଜାତିଗତ ପ୍ରମାଣପତ୍ର…

ଥିରୁଭାନନ୍ତପୁରମ୍‌, ୭।୨ : ଜଣେ ବ୍ୟକ୍ତିଙ୍କ ଜନ୍ମ ତାଙ୍କ ସମ୍ପ୍ରଦାୟ ସହିତ ଜଡ଼ିତ। ପରେ ସେ ଅନ୍ୟ ଧର୍ମରେ ବିବାହ କଲେ ବି ତାଙ୍କୁ ମୂଳ ଜାତିଗତ ପ୍ରମାଣ ମିଳିବ। କେରଳ ହାଇକୋର୍ଟ ଏକ ମାମଲାର ବିଚାର କରି ଏଭଳି ରାୟ ଦେଇଛନ୍ତି। ଜଣେ ଏସ୍‌ସି ମହିଳା ଖ୍ରୀଷ୍ଟିଆନ୍‌ ଧର୍ମରେ ବିବାହ କରିଥିଲେ। ତେବେ ସେ ଜନ୍ମ ହୋଇଥିବା ସମ୍ପ୍ରଦାୟର ମୂଳ ଜାତିଗତ ପ୍ରମାଣପତ୍ର ପାଇଁ ଆବେଦନ କରିଥିଲେ।

କିନ୍ତୁ ସେ ଖ୍ରୀଷ୍ଟିଆନ୍‌ ଧର୍ମରେ ବିବାହ କରିଥିବାରୁ ତାଙ୍କୁ ମୂଳ ଜାତିଗତ ପ୍ରମାଣପତ୍ର ମିଳିବ ନାହିଁ ବୋଲି କୁହାଯାଇଥିଲା। ଏନେଇ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

କୋର୍ଟ ଏହାର ବିଚାର କରି କହିଛନ୍ତି ଯେ, ଅନୁଚ୍ଛେଦର ଧାରା ୩୪୧ ଅନୁସାରେ ମହିଳାଙ୍କ ଜନ୍ମ ସମୟର ମୂଳ ସମ୍ପ୍ରଦାୟ ଅନୁସୂଚିତ ତାଲିକାଭୁକ୍ତ। ଏନେଇ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଦ୍ୱାରା ୧୯୭୫ ମେ’ ୨ରେ ଜାରି ହୋଇଥିବା ଘୋଷଣା ପତ୍ରରେ ମଧ୍ୟ ମହିଳାଙ୍କ ଜନ୍ମ ସମୟର ମୂଳ ସମ୍ପ୍ରଦାୟକୁ ଅନୁସୂଚିତ ତାଲିକାଭୁକ୍ତ କରାଯାଇଛି।

ତେଣୁ ତାଙ୍କୁ ମୂଳ ଜାତିଗତ ପ୍ରମାଣପତ୍ରରୁ ବଞ୍ଚିତ କରାଯାଇ ପାରିବ ନାହିଁ ବୋଲି ବିଚାରପତି ରାଜା ବିଜୟରାଘବନ ଭି.ଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ରାୟ ଦେଇଛନ୍ତି।

Share