ଓମିକ୍ରନର ହୋଇଛି ଗୋଷ୍ଠୀ ସଂକ୍ରମଣ

ନୂଆଦିଲ୍ଲୀ,୧୫ ।୧: ଦେଶରେ ପ୍ରଥମଥର ପାଇଁ ଓମିକ୍ରନର ଗୋଷ୍ଠୀ ସଂକ୍ରମଣ ହୋଇଥିବା ଜଣାପଡିଛି । ରାଜଧାନୀ ଦିଲ୍ଲୀରେ ହାଇବ୍ରିଡ ଇମ୍ୟୁନିଟି ବି ଆରମ୍ଭ ହୋଇଯାଇଛି । ଏବେ ପର୍ଯ୍ୟନ୍ତ ଅନୁମାନ କରାଯାଉଥିଲା କି କରୋନାର ଓମିକ୍ରନ୍ ଭାରିଏଣ୍ଟର ଗୋଷ୍ଠୀ ସଂକ୍ରମଣ ହୋଇଛି । ହେଲେ ଏବେ ଚିକିତ୍ସା ଅଧ୍ୟୟନରୁ ଏହାର ପ୍ରମାଣ ମିଳିଛି । ୨୨ ଦିନ ପୂର୍ବରୁ ଏହା ଆରମ୍ଭ ହୋଇଥିବା ବେଳେ ଏବେ ଦୁଇଟି ଯାକ ଡୋଜ ଟିକା ନେଇଥିବା ଲୋକଙ୍କ ପାଖରେ ମଧ୍ୟ ଏହା ଦେଖାଦେଇଛି । ୨୦୨୦ରେ ବୁହାନ, ୨୦୨୧ରେ ଡେଲ୍ଟା ଭାରିଏଣ୍ଟରେ ସଂକ୍ରମିତ ହୋଇଥିବା ଲୋକେ ଟିକା ନେବା ପରେ ବି ଓମିକ୍ରନରେ ସଂକ୍ରମିତ ହୋଇଛନ୍ତି । ଏହାପରେ ସେମାନଙ୍କ ଶରୀରରେ ଇମ୍ୟୁନିଟି ତିଆରି ହେଉଛି । ଚିକିତ୍ସା ବିଜ୍ଞାନରେ ଏହାକୁ ହାଇବ୍ରିଡ ଇମ୍ୟୁନିଟି କୁହାଯାଉଛି । ଦିଲ୍ଲୀରେ ଏମିତି କେତେଜଣ ରୋଗୀଙ୍କୁ ଦେଖିବାକୁ ମିଳିଲାଣି ଯେଉଁମାନଙ୍କ ନିକଟରେ ୪-୪ଟି ସ୍ତରରେ ଇମ୍ୟୁନିଟି ବିକଶିତ ହେଉଛି । ଓମିକ୍ରନର ଗୋଷ୍ଠୀ ସଂକ୍ରମଣ ବେଳେ ହାଇବ୍ରିଡ ଇମ୍ୟୁନିଟି ଏକ ଭଲ ସଙ୍କେତ ବୋଲି କୁହାଯାଉଛି । ମିଳିଥିବା ସୂଚନା ଅନୁଯାୟୀ, ଦିଲ୍ଲୀ ବସନ୍ତ କୁଞ୍ଜ ସ୍ଥିତ ଇନଷ୍ଟିଚ୍ୟୁଟ ଅଫ୍ ଲିଭର ଆଣ୍ଡ ବିଲିୟରି ସାଇନ୍ସ(ଆଇଏଲବିଏସ)ର ଅଧ୍ୟୟନରୁ ଜଣାପଡିଛି କି ଓମିକ୍ରନ୍ ଭାରିଏଣ୍ଟର ଗୋଷ୍ଠୀ ସଂକ୍ରମଣ ହୋଇସାରିଛି ।

Share