ନୂଆଦିଲ୍ଲୀ,୩୦।୬: ତଥ୍ୟ ଗୋପନୀୟତା ଏବଂ ସୁରକ୍ଷା ବୈଠକରେ ଗୁଗଲ ପକ୍ଷରୁ ଏକ ବଡ଼ ସୂଚନା ପ୍ରଦାନ କରାଯାଇଛି। ଓକେ ଗୁଗଲ କହି ପଚରା ଯାଉଥିବା ପ୍ରଶ୍ନର ରେକର୍ଡିଂକୁ କମ୍ପାନୀର କର୍ମଚାରୀ ଶୁଣି ପାରିବେ ବୋଲି ଗୁଗଲ କହିଛି। ଗୁଗଲ ଆସିଷ୍ଟାଣ୍ଟ୍କୁ ପଚରା ଯାଉଥିବା ପ୍ରତି ପ୍ରଶ୍ନର ରେକର୍ଡିଂ କରାଯାଇଥାଏ। ଏସମ୍ପର୍କରେ ଗୁଗଲ ପକ୍ଷରୁ ସୂଚନା ସଂସଦୀୟ ସ୍ଥାୟୀ କମିଟିକୁ ପ୍ରଦାନ କରାଯାଇଛି। ୟୁଜରଙ୍କର ପ୍ରତିଟି ପ୍ରଶ୍ନର ରେକର୍ଡିଂ କର୍ମଚାରୀମାନେ ଶୁଣିଥାନ୍ତି ବୋଲି ଗୁଗଲ କହିଛି॥ ଶଶି ଥରୁର୍ଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥିବା ସଂସଦୀୟ ସ୍ଥାୟୀ କମିଟି ଏହାକୁ ତଥ୍ୟ ଗୋପନୀୟତାର ଉଲ୍ଲଂଘନ କରାଯାଉଥିବା କହିଛନ୍ତି। ପୂର୍ବରୁ ୨୦୧୯ରେ ଗୁଗଲ ସର୍ଚ୍ଚ ପ୍ରଡକ୍ଟ ମ୍ୟାନେଜର ଡେଭିଡ୍ ମୋନସୀ କହିଥିଲେ ଯେ, ଭାଷା ବିଶେଷଜ୍ଞ ରେକର୍ଡିଂକୁ ଶୁଣି ସ୍ପିଚ୍ ସର୍ଭିସ୍କୁ ଅଧିକ ଗ୍ରହଣଯୋଗ୍ୟ କରିବାର ପ୍ରୟାସ କରିଥାନ୍ତି। ବୈଠକରେ ଝାଡ଼ଖଣ୍ଡର ଭାଜପା ଏମ୍ପି ନିଶିକାନ୍ତ ଦୁବେ ‘ଓକେ ଗୁଗଲ’କୁ ପ୍ରଶ୍ନ କରିଥିଲେ। ୟୁଜର ଯଦି କୌଣସି ହୋଟେଲ ସମ୍ପର୍କରେ ପ୍ରଶ୍ନ କରିଥାନ୍ତି, ତେବେ ଏହା ପରେ ପରେ ତାଙ୍କ ପାଖକୁ ବହୁ ହୋଟେଲ ପକ୍ଷରୁ ବିଭିନ୍ନ ଅପର ଆପେ ଆପେ ଆସିଥାଏ। ଏହା କିପରି ହେଉଛି ୟୁଜର ପୂର୍ବରୁ ଜାଣି ପାରୁ ନ ଥିଲେ। ସଂସଦୀୟ ସ୍ଥାୟୀ କମିଟିକୁ ପ୍ରଦାନ କରାଯାଇଥିବା ସୂଚନାରୁ ଏବେ ଏହା ସ୍ପଷ୍ଟ ହୋଇଛି।