ବିଦେଶରେ ଫସିଥିବା ଲୋକଙ୍କ ପାଇଁ ଏହି କମ୍ପାନୀ ବିକ୍ରି କରୁଛି ବୋତଲ ବନ୍ଦ ବାୟୁ, ଦାମ୍‌ ରହିଛି…

ଲଣ୍ଡନ,୨୫ା୧୨: ବ୍ରିଟେନରେ କରୋନା ମହାମାରୀ କାୟା ବିସ୍ତାର କରିଥିବାରୁ ବିମାନ ଯାତ୍ରା ଉପରେ ପ୍ରତିବନ୍ଧକ ଲାଗିଛି। ଏପରିକି ୪୦ଟି ଦେଶ ବ୍ରିଟେନକୁ ବିମାନ ଉଡ଼ାଣ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏହି କାରଣରୁ ଅନେକ ଲୋକ ବିଦେଶରେ ଫସି ରହିଛନ୍ତି। ଅବଶ୍ୟ ଏକ କମ୍ପାନୀ ବ୍ରିଟେନ ଲୋକଙ୍କ ପାଇଁ ଆକର୍ଷଣୀୟ ଉତ୍ପାଦର ବ୍ୟବସ୍ଥା କରିଛି। ଘରଠାରୁ ବାହାରେ ରହୁଥିବା ଲୋକଙ୍କ ପାଇଁ ମୁକ୍ତ ବାୟୁର ବ୍ୟବସ୍ଥା କରିଛି ଏହି କମ୍ପାନୀ। ଦୁର୍ଗମ ଅଞ୍ଚଳରେ ଫସି ରହିଥିବା ଲୋକମାନେ ସେମାନଙ୍କ ଘର ଜଳବାୟୁକୁ ସହଜରେ ଉପଭୋଗ କରିପାରିବେ। ଏହି ୫୦୦ ମିଲିଲିଟର ବୋତଲର ମୂଲ୍ୟ ୨୫ ପାଉଣ୍ଡ ଅର୍ଥାତ୍‌ ୨୫୦୦ ଟଙ୍କ। ଏହି ବୋତଲ ଏକ କର୍କ ଷ୍ଟପରରେ ଆସୁଛି। ଯାହଫଳରେ ଯେତେବେଳେ ଦରକାର ପଡ଼ିବ ଏହାକୁ ଖୋଲି ବାୟୁ ତୁରନ୍ତ ନେଇପାରିବେ ଏବଂ ବନ୍ଦ କରିପାରିବେ।

ମାଇ ବ୍ୟାଗେଜ୍‌ ନାମକ ଏହି କମ୍ପାନୀ ବର୍ତ୍ତମାନ ଇଂଲଣ୍ଡ, ସ୍କଟଲ୍ୟାଣ୍ଡ, ଓ୍ବେଲ୍ସ ଏବଂ ଆୟର୍ଲାଣ୍ଡର ମୂଳ ବାୟୁକୁ ବୋତଲରେ ବିକ୍ରି କରୁଛି। ଏହି କମ୍ପାନୀ କହିଛି ଯେ, ବ୍ରିଟେନରେ ଉପସ୍ଥିତ ଥିବା ଅବଶିଷ୍ଟ ସ୍ଥାନରୁ ମଧ୍ୟ ସେମାନେ ଅର୍ଡର ନେବାକୁ ପ୍ରସ୍ତୁତ। କମ୍ପାନୀ କହିଛି ଯେ, ନିକଟରେ ସେମାନେ ଓ୍ବେଲ୍ସର ଜଣେ ବ୍ୟକ୍ତିଙ୍କଠାରୁ ଅନୁରୋଧ ଗ୍ରହଣ କରିଥିଲେ। ଯିଏ ଉତ୍ତର-ପଶ୍ଚିମ ଓ୍ବେଲ୍ସର ପାର୍ବତ୍ୟ ଅଞ୍ଚଳରେ ବାୟୁର ନମୁନା ଚାହୁଁଥିଲେ। ଯେଉଁମାନେ ସେମାନଙ୍କ ପରିବାରକୁ ଉପହାର ସ୍ବରୂପ ଏହି ବୋତଲଗୁଡ଼ିକୁ ଘରୁ ପଠାଉଛନ୍ତି ସେମାନଙ୍କଠାରୁ ଅଧିକାଂଶ ଅର୍ଡର ମିଳୁଛି। ଓ୍ବେଲ୍ସରେ ବୋତଲଯୁକ୍ତ ବାୟୁର ଷ୍ଟକ୍‌ ମଧ୍ୟ ଶେଷ ହୋଇଛି।

ସୂଚନାଯୋଗ୍ୟ, ପୂର୍ବରୁ କାନାଡାର ଏକ କମ୍ପାନୀ ଭିଟାଲିଟି ଏୟାର ଚାଇନାର ପ୍ରଦୂଷିତ ସହରରେ ଉପସ୍ଥିତ ଲୋକଙ୍କ ପାଇଁ ସମାନ ବୋତଲଯୁକ୍ତ ମୁକ୍ତ ଶୁଦ୍ଧ ବାୟୁ ଦେଉଥିଲା।

Share