ନୂଆଦିଲ୍ଲୀ,୨୭।୧୨ : ଟେଲିକମ ନେଟୱାର୍କ ସହ ଜଡିତ ରେଳ ମନ୍ତ୍ରଣାଳୟ ଏକ ବଡ ନିଷ୍ପତ୍ତି ନେଇଛି। ଏହି ନିଷ୍ପତ୍ତି ଅନୁଯାୟୀ, ବର୍ତ୍ତମାନ ଯେ କୌଣସି କମ୍ପାନୀ ରେଲଓ୍ବେ ଜମି, ଅଫିସ କିମ୍ବା ଷ୍ଟେଶନରେ ଏକ ଟାୱାର ସ୍ଥାପନ କରିପାରିବେ। ଏହାଦ୍ୱାରା ଯାତ୍ରୀ, ଷ୍ଟେଶନ ଏବଂ ରେଳ କାର୍ଯ୍ୟାଳୟ ତତା ଏହାର ଆଖପାଖରେ ରହୁଥିବା ଲୋକମାନେ ଉପକୃତ ହେବେ। ସେମାନେ ୫-ଜି ନେଟୱାର୍କ ପାଇପାରିବେ, ଏବଂ ରେଳବାଇ ଏଥିରୁ ରାଜସ୍ବ ମଧ୍ୟ ପାଇବ ।
ବର୍ତ୍ତମାନ ପର୍ଯ୍ୟନ୍ତ ରେଳବାଇର ପିଏସୟୁ ରେଲଟେଲ ରେଲଓ୍ବେ ଜମି, ଷ୍ଟେଶନ କିମ୍ବା ଅଫିସରେ ଟେଲିକମ ନେଟୱାର୍କ ପାଇଁ ଟାୱାର ସ୍ଥାପନ କରୁଥିଲା। ଏବେ ୫-ଜି ନେଟୱାର୍କ ଆସିଛି । ୫-ଜି ଟାୱାରଗୁଡିକ ୪-ଜିଠାରୁ ବହୁତ କମ ଦୂରତାରେ ସ୍ଥାପିତ ହୋଇଥାଏ। ସେଥିପାଇଁ କେବଳ ରେଲଟେଲ ଦ୍ୱାରା ଅଳ୍ପ ସମୟ ମଧ୍ୟରେ ସମଗ୍ର ଦେଶରେ ୫-ଜି ଟାୱାର ସ୍ଥାପନ କରିବା ସମ୍ଭବ ନୁହେଁ। ଏହି କାରଣରୁ ରେଳବାଇ ବୋର୍ଡ ଏହା ସହ ଜଡିତ ଥିବା ନୀତିରେ ପରିବର୍ତ୍ତନ ଆଣିଛି।
ନୀତି ଅନୁଯାୟୀ ରେଳ ଜମିରେ ସ୍ଥାପିତ ଟାୱାର ପାଇଁ ରେଳବାଇ ଦାୟୀ ରହିବ ନାହିଁ। ଏହା ବ୍ୟତୀତ ସମ୍ପୃକ୍ତ କମ୍ପାନୀଗୁଡିକର ଏହି ଟାୱାରରେ ବିଜ୍ଞାପନ ଇତ୍ୟାଦି ରଖିବାର ଅଧିକାର ରହିବ ନାହିଁ।