ଭୁବନେଶ୍ୱର,୨୯ା୧୧(ବ୍ୟୁରୋ): ରାଜଧାନୀର ୨ଟି ଘରୋଇ ହସ୍ପିଟାଲକୁ ଆମ୍ବୁଲାନ୍ସ ଦେବା ଓ ସେଥିରେ ସରଞ୍ଜାମ ଲଗାଇବା ଆଳରେ ଠକେଇ କରିଥିବା ଏକ ସଂସ୍ଥା ‘ଏମ୍/ଏସ୍ ବାଫ୍ନା ହେଲ୍ଥ କେୟାର ପ୍ରାଇଭେଟ ଲିମିଟେଡ’ର ଉପ ସଭାପତିଙ୍କୁ ହରିୟାଣାରୁ ଶୁକ୍ରବାର ଖଣ୍ଡଗିରି ଥାନା ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଫରିଦାବାଦ ଜିଲା ସୁରଜକୁଣ୍ଡ ଥାନା ଅଞ୍ଚଳର ଦେବେନ୍ଦ୍ର କୁମାର ଗେରା (୫୫)। ଦେବେନ୍ଦ୍ରଙ୍କୁ ସ୍ଥାନୀୟ କୋର୍ଟରେ ହାଜର କରାଯାଇ ଟ୍ରାଞ୍ଜିଟ୍ ରିମାଣ୍ଡରେ ଓଡ଼ିଶା ଆଣି ଭୁବନେଶ୍ୱର ଜେଏମ୍ଏଫ୍ସି କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏହି ମାମଲାରେ ସଂସ୍ଥାର ଏମ୍ଡି, ଡିରେକ୍ଟରଙ୍କ ସମେତ ଅନ୍ୟମାନଙ୍କୁ ଗିରଫ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।
ପୋଲିସ ସୂଚନା ଅନୁଯାୟୀ, କୋଭିଡ୍ ସମୟରେ ସମ୍ ହସ୍ପିଟାଲଠୁ ଉକ୍ତ ସଂସ୍ଥା ୭ଟି ଟାଟା ଉଇଙ୍ଗର୍ ଆମ୍ବୁଲାନ୍ସ ଦେବାକୁ ଅର୍ଡର ନେଇଥିଲା। ଏଥିସହ ଆମ୍ବୁଲାନ୍ସଗୁଡ଼ିକ ଭିତରେ ଅତ୍ୟାଧୁନିକ ସରଞ୍ଜାମ ଲଗାଇବା ପାଇଁ କଥା ହୋଇଥିଲା। ଉକ୍ତ ସଂସ୍ଥା ହସ୍ପିଟାଲଠୁ ୯୨ ଲକ୍ଷ ୬୦ ହଜାର ୨୮୦ ଟଙ୍କା ନେଇଥିଲା। ହେଲେ ସଂସ୍ଥା ପକ୍ଷରୁ ଆମ୍ବୁଲାନ୍ସଗୁଡ଼ିକୁ ବିଳମ୍ବରେ ଦିଆଯାଇଥିଲା। ସେଥିରେ ନିମ୍ନ ଧରଣର କାମ ହୋଇଥିବା ହସ୍ପିଟାଲ ଜାଣିବାକୁ ପାଇଥିଲା। ଫଳରେ ହସ୍ପିଟାଲକୁ ୨୧ ଲକ୍ଷ ୮୫ ହଜାର ୩୫୦ ଟଙ୍କା କ୍ଷତି ସହିବାକୁ ପଡ଼ିଥିଲା। ଏନେଇ ହସ୍ପିଟାଲ ପକ୍ଷରୁ ଅଭିଯୋଗକ୍ରମେ ପୋଲିସ ଗତ ସେପ୍ଟେମ୍ବର ୩୦ରେ ଏକ ମାମଲା (ନଂ.୪୯୪/୨୦୨୨) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ସେହିପରି ଏହି କମ୍ପାନୀ ଆଉ ମଧ୍ୟ ଏକ ଠକେଇ କରିଥିଲା। ଇନ୍ଫୋସିଟି ଅନ୍ତର୍ଗତ କିମ୍ସ ହସ୍ପିଟାଲକୁ ୩ଟି ଆମ୍ବୁଲାନ୍ସ ଦେବାକୁ କହି ୪୭ ଲକ୍ଷ ୪୯ ହଜାର ୩୯୪ ଟଙ୍କା ନେଇଥିଲା। ପରେ ଆମ୍ବୁଲାନ୍ସ ନ ଦେଇ ଠକିଥିଲା।