Advertisement

ସଫୁରା ଜରଗରଙ୍କୁ କ୍ଷତିପୂରଣ ଦିଅ

ଜାତିସଂଘ,୧୭।୩: ୨୦୨୦ ଫେବୃୟାରୀରେ କେନ୍ଦ୍ରର ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ବିରୋଧୀ ବିକ୍ଷୋଭ ବେଳେ ଦିଲ୍ଲୀରେ ବ୍ୟାପକ ହିଂସା ହୋଇଥିଲା। ସାମ୍ପ୍ରଦାୟିକ ଦଙ୍ଗାରେ ୫୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୪୦୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିଲେ। ମୃତକଙ୍କ ମଧ୍ୟରୁ ଅଧିକାଂଶ ସଂଖ୍ୟାଲଘୁ ଥିଲେ। ଏହି ସମୟରେ ଜାମିଆ ମିଲିଆ ଇସ୍‌ଲାମିଆ ୟୁନିଭର୍ସିଟିରେ ମଧ୍ୟ ଛାତ୍ରୀଛାତ୍ର ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଉକ୍ତ ବିଶ୍ୱବିଦ୍ୟାଳୟର ଏମ୍‌ଫିଲ୍‌ ଛାତ୍ରୀ ସଫୁରା ଜରଗରଙ୍କୁ ଦିଲ୍ଲୀ ଦଙ୍ଗାରେ ସମ୍ପୃକ୍ତି ଅଭିଯୋଗରେ ଗତବର୍ଷ ଏପ୍ରିଲରେ ଗିରଫ କରାଯାଇଥିଲା। ଗିରଫ ହେବାବେଳେ ସଫୁରା ଗର୍ଭବତୀ ଥିଲେ। ଦୁଇମାସ ପରେ ସେ ଜାମିନ ପାଇ ମୁକୁଳିଥିଲେ। ଜାତିସଂଘର ଏକ ବିଶେଷଜ୍ଞ କମିଟି ଏହି ଗିରଫଦାରିକୁ ବେଆଇନ ଓ ଅନ୍ତର୍ଜାତୀୟ ସନ୍ଧିର ଏକତରଫା ଉଲ୍ଲଂଘନ ବୋଲି ଦର୍ଶାଇବା ସହ ଷ୍ଟୁଡେଣ୍ଟ ଆକ୍ଟିଭିଷ୍ଟ ସଫୁରାଙ୍କୁ କ୍ଷତିପୂରଣ ଦେବା ପାଇଁ ଭାରତ ସରକାରଙ୍କୁ ନିର୍ଦ୍ଦେଶ ଦେଇଛି।
ଜେନେଭାସ୍ଥିତ ୱାର୍କିଂ ଗ୍ରୁପ୍‌ ଅନ୍‌ ଆର୍ବିଟ୍ରାରି ଡିଟେନ୍ସନ (ଡବ୍ଲ୍ୟୁଜିଏଡି) ଜାତିସଂଘ ମାନବାଧିକାର ଉଚ୍ଚାୟୁକ୍ତ ଅଫିସ ଅଧୀନରେ କାର୍ଯ୍ୟ କରିଥାଏ। ଏହି ସଂସ୍ଥା ନିଜ ରିପୋର୍ଟରେ ଦର୍ଶାଇଛି ଯେ ସଫୁରାଙ୍କ ଗିରଫଦାରି ମାନବାଧିକାର ସମ୍ପର୍କିତ ସାର୍ବଜନୀନ ଘୋଷଣାନାମା ଏବଂ ନାଗରିକ ଓ ରାଜନୈତିକ ଅଧିକାର ଉପରେ ଅନ୍ତର୍ଜାତୀୟ ଚୁକ୍ତିନାମା ବିରୋଧରେ ଯାଇଛି। ଉକ୍ତ ମାମଲାର ସମସ୍ତ ପାରିପାର୍ଶ୍ୱିକ ସ୍ଥିତି ଓ ପ୍ରମାଣ ଆଧାରରେ ସଫୁରାଙ୍କୁ ଅନ୍ତର୍ଜାତୀୟ ଆଇନ ଅନୁଯାୟୀ ଉପଯୁକ୍ତ କ୍ଷତିପୂରଣ ଦିଆଯିବା ଉଚିତ ବୋଲି ଡବ୍ଲ୍ୟୁଜିଏଡି ବିଚାର କରେ। ଭାରତ ସରକାର ଏ ଦିଗରେ ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି ଜାତିସଂଘ ବିଶେଷଜ୍ଞ କମିଟି କହିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share