ପ୍ରତିଯୋଗିତା ଭଲ, ଛଳନା ନୁହେଁ: ମସ୍କ

ଓ୍ବାଶିଂଟନ୍‌,୮।୭: ମାଇକ୍ରୋବ୍ଲଗିଂ ସାଇଟ୍‌ ଟୁଇଟର ପ୍ରତିଦ୍ୱନ୍ଦ୍ୱୀ ଥ୍ରେଡ୍ସ ଲଞ୍ଚ ହେବାର କେଇ ଘଣ୍ଟା ମଧ୍ୟରେ ଟୁଇଟର ଓକିଲ ଆଲେକ୍ସ ସ୍ପିରୋ ମେଟା ସିଇଓ ମାର୍କ ଜୁକରବର୍ଗଙ୍କ ନିକଟକୁ ଚିଠି ଲେଖିଛନ୍ତି। ଏଲନ ମସ୍କଙ୍କ ଟୁଇଟରର ଟ୍ରେଡ୍‌ ସିକ୍ରେଟ୍‌କୁ ବ୍ୟବହାର କରି ଥ୍ରେଡ୍ସ ତିଆରି କରାଯାଇଥିବା ଚିଠିରେ ଉଲ୍ଲେଖ କରାଯାଇଛି। ଥ୍ରେଡ୍ସ ନିର୍ମାଣକାରୀ ଇଞ୍ଜିନିୟରଙ୍କ ଟିମ୍‌ରେ ବ୍ଲୁ-ବାର୍ଡ ଆପ୍‌ର ଅନେକ ପୂର୍ବତନ ଇଞ୍ଜିନିୟର ସାମିଲ ଥିବା ଟୁଇଟର ପକ୍ଷରୁ ଦାବି କରାଯାଉଛି। ଏଥିସହ ଥ୍ରେଡ୍ସ ଆପ୍‌କୁ ନେଇ ଟୁଇଟର ମେଟା ବିରୋଧରେ ମକଦ୍ଦମା କରିବାକୁ ଧମକ ମଧ୍ୟ ଦେଇଛି। ଏ ନେଇ ମସ୍କ ଟୁଇଟରରେ ଏକ ପୋଷ୍ଟ ଶେୟାର କରିଛନ୍ତି। ପ୍ରତିଯୋଗିତା ଭଲ, ଛଳନା ନୁହେଁ ବୋଲି ଉକ୍ତ ପୋଷ୍ଟରେ ସେ ଉଲ୍ଲେଖ କରିଛନ୍ତି। ଟୁଇଟର ପୂର୍ବତନ କର୍ମଚାରୀ ଏବେବି ଏହାର ତଥ୍ୟ ଆସେସ୍‌ କରିପାରୁ ଥିବାବେଳେ ଏହାର ବ୍ୟବହାର ଦ୍ୱାରା ମେଟା ଏକ ‘କପିକ୍ୟାଟ୍‌’ ଆପ୍‌ ତିଆରି କରି ସଂଘୀୟ ଆଇନର ଉଲ୍ଲଂଘନ କରିଥିବା ଟୁଇଟର ଓକିଲ ସ୍ପିରୋ କହିଛନ୍ତି। ଟୁଇଟର ପକ୍ଷରୁ ହୋଇଥିବା ସମସ୍ତ ଅଭିଯୋଗକୁ ମେଟା ପକ୍ଷରୁ ଖଣ୍ଡନ କରାଯାଇଛି। କମ୍ପାନୀର ମୁଖପାତ୍ର ଆଣ୍ଡି ଷ୍ଟୋନ କହିଛନ୍ତି, ଥ୍ରେଡ୍ସ ଇଞ୍ଜିନିୟରିଂ ଟିମ୍‌ରେ କେହି ଟୁଇଟରର ପୂର୍ବତନ ଇଞ୍ଜିନିୟର ନାହାନ୍ତି, କି ଆପ୍‌କୁ ସେମାନେ ତିଆରି କରିନାହାନ୍ତି। ଥ୍ରେଡ୍ସ ଲଞ୍ଚ ହେବାର କେଇଘଣ୍ଟାରେ ନାମୀଦାମୀ ବ୍ୟକ୍ତି ବିଶେଷଙ୍କ ସମେତ ଲକ୍ଷ, ଲକ୍ଷ ଲୋକ ଏହା ସହ ଯୋଡ଼ି ହୋଇଛନ୍ତି। ଫେସ୍‌ବୁକ୍‌, ଇନ୍‌ଷ୍ଟାଗ୍ରାମ ଭଳି ଥ୍ରେଡ୍ସଙ୍କୁ ଲୋକେ ଗ୍ରହଣ କରିବେ ବୋଲି ଜୁକରବର୍ଗ କହିଛନ୍ତି।

Share