Categories: ଖେଳ

ଜାତୀୟ ଜାଭେଲିନ ଥ୍ରୋ ଦିବସରେ ପ୍ରତିଯୋଗିତା

କଟକ ଅଫିସ, ୮।୮ : (ସୁପ୍ରିୟା ପ୍ରିୟଦର୍ଶିନୀ): ଟୋକିଓ ଅଲିମ୍ପିକ୍ସରେ ଅଗଷ୍ଟ ୭ରେ ଭାରତର ନୀରଜ ଚୋପ୍ରା ଜାଭେଲିନ୍‌ ଥ୍ରୋରେ ଐତିହାସିକ ସ୍ବର୍ଣ୍ଣ ପଦକ ଅର୍ଜନ କରିଥିଲେ। ଫଳରେ ଅଗଷ୍ଟ ୭କୁ ଆଥ୍‌ଲେଟିକ୍ସ ଫେଡେରେଶନ ଅଫ୍‌ ଇଣ୍ଡିଆ (ଏଏଫ୍‌ଆଇ) ଜାତୀୟ ଜାଭେଲିନ୍‌ ଦିବସଭାବେ ପାଳନ କରି ଆସୁଛି। ସେହି ପରିପ୍ରେକ୍ଷୀରେ ଓଡ଼ିଶା ଅଲିମ୍ପିକ୍ସ ଆସୋସିଏଶନ ପକ୍ଷରୁ କଟକର ବାରବାଟୀ ଷ୍ଟାଡିୟମରେ ଜାଭେଲିନ୍‌ ଥ୍ରୋ ପ୍ରତିଯୋଗିତା ହୋଇଥିଲା। ଏଥିରେ ୧୪, ୧୬, ୧୮, ୨୦ ବର୍ଷରୁ କମ୍‌ ବର୍ଗ ଏବଂ ସିନିୟର ବିଭାଗରେ ବିଭିନ୍ନ ଜିଲାରୁ ୩୦ ମହିଳା ଓ ୪୦ ପୁରୁଷ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ପ୍ରତିଯୋଗିତା ଶେଷରେ ଅଲିମ୍ପିକ୍ସ ଆସୋସିଏଶନ ସମ୍ମିଳନୀ କକ୍ଷରେ କୃତୀ ପ୍ରତିଯୋଗୀଙ୍କୁ ପ୍ରମାଣପତ୍ର ଏବଂ ଟ୍ରଫି ପ୍ରଦାନ କରାଯାଇଥିଲା। ଓଡ଼ିଶା ଆଥଲେଟିକ୍ସ ଆସୋସିଏଶନ ସଭାପତି ଜି. ଶ୍ରୀନିବାସ ପଟ୍ଟନାୟକ ମୁଖ୍ୟ ଅତିଥି ଏବଂ ଅଲିମ୍ପିଆନ ଅନୁରାଧା ବିଶ୍ୱାଳ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ। ବିପିନ ବିହାରୀ ମହାନ୍ତିଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉତ୍ସବରେ ପରିଚାଳନା କମିଟିର ବରିଷ୍ଠ ସଦସ୍ୟ ଚିତ୍ତରଞ୍ଜନ ମହାପାତ୍ର ଏବଂ ବୈଷୟିକ ଅଧିକାରୀମାନେ ଉପସ୍ଥିତ ଥିଲେ।

Share