Categories: ଖେଳ

ବେସିକ୍‌, ଆଡ୍‌ଭାନ୍ସ ବର୍ଗରେ ହେବ ପ୍ରତିଯୋଗିତା

ଭୁବନେଶ୍ୱର, ୧୩।୬ (କ୍ରୀଡ଼ା ପ୍ରତିନିଧି): ଜେ. ଏମ. ସ୍ପୋଟର୍‌ସ ଏକାଡେମୀ ଆନୁକୂଲ୍ୟରେ ୨ୟ କଳିଙ୍ଗ ଓପନ ସର୍ବଭାରତୀୟ ଆମନ୍ତ୍ରଣୀୟ ଜିମ୍ନାଷ୍ଟିକ୍ସ ପ୍ରତିଯୋଗିତା ଜୁନ ୧୬ରୁ ଆରମ୍ଭ ହେବାକୁ ଯାଉଛି। ଏହା ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରତିଯୋଗିତା ମୁଖ୍ୟତଃ ୨ଟି ବର୍ଗ ବେସିକ୍‌ ଓ ଆଡ୍‌ଭାନ୍ସ ବର୍ଗରେ ଆୟୋଜନ ହେବ। ୮, ୧୦ ଓ ୧୨ ବର୍ଷରୁ କମ୍‌ ବୟସର ପ୍ରତିଯୋଗୀମାନେ ବେସିକ୍‌ ବର୍ଗରେ ଅଂଶଗ୍ରହଣ କରିବେ। ଜିମ୍ନାଷ୍ଟିକ୍ସ ଫେଡେରେଶନ ଅଫ୍‌ ଇଣ୍ଡିଆ (ଜିଏଫ୍‌ଆଇ) ନିୟମ ଅନୁସାରେ ବାଳିକା ବର୍ଗରେ ୧୦ ଓ ୧୨ ବର୍ଷରୁ କମ୍‌ ଏବଂ ବାଳକରେ ୧୨ ଓ ୧୪ ବର୍ଷରୁ କମ୍‌ ପ୍ରତିଯୋଗୀଙ୍କୁ ନେଇ ଆଡ୍‌ଭାନ୍ସ ବର୍ଗର ପ୍ରତିଯୋଗିତା ହେବ। ଏହି ସମ୍ମାନଜନକ ପ୍ରତିଯୋଗିତାରେ ୧୫ରୁ ଊଦ୍ଧର୍‌ବ ରାଜ୍ୟରୁ ପ୍ରତିଯୋଗୀ ଅଂଶଗ୍ରହଣ କରିବେ। ଇତିମଧ୍ୟରେ ୩୦୦ରୁ ଅଧିକ ପ୍ରତିଯୋଗୀ ନାମ ପଞ୍ଜୀକୃତ କରି ସାରିଥିବାରୁ ୩୫୦ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ଭାଗନେବା ଆଶା କରାଯାଉଛି। ପ୍ରତିଯୋଗିତା ସକାଳ ୮ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଚାଲିବ। ପ୍ରତିଯୋଗିତା ପାଇଁ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ରଖାଯାଇଛି। ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ହାସଲ କରିବା ଜିମ୍ନାଷ୍ଟଙ୍କୁ ଯଥାକ୍ରମେ ୧୦୦୦୦, ୬୦୦୦ ଓ ୪୦୦୦ ଟଙ୍କା ପୁରସ୍କାର ଆକାରରେ ପ୍ରଦାନ କରାଯିବ ବୋଲି ସୋମବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଜେ. ଏମ. ସ୍ପୋଟର୍‌ସ ଏକାଡେମୀ ଅଧ୍ୟକ୍ଷା ମିରାରାଣୀ ଦାସ ପ୍ରକାଶ କରିଛନ୍ତି। ପ୍ରତିଯୋଗିତା ପରିଚାଳନା ପାଇଁ ୩୦ ଅଫିସିଆଲ ନିୟୋଜିତ ହେବେ। ୬ ,୮,୧୦,୧୨ ଓ ୧୪ ବର୍ଷରୁ କମ୍‌ ବର୍ଗରେ ପ୍ରତିଯୋଗିତା ହେବ। ଖେଳାଳିଙ୍କ ପାଇଁ ଖାଦ୍ୟ, ରହିବା, ସୁରକ୍ଷା ବ୍ୟବସ୍ଥା, ଗମନାଗମନ ସହିତ ସାନିଟାଇଜ ବ୍ୟବସ୍ଥା ମଧ୍ୟ କରାଯାଇଛି। ଖେଳାଳିଙ୍କ ସହିତ ଆସିଥିବା ଅଭିଭାବକଙ୍କୁ ମଧ୍ୟ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯିବ। ବାଳିକା ବର୍ଗରେ ୪ଟି ଓ ବାଳକ ବର୍ଗରେ ୬ ବିଭାଗରେ ପ୍ରତିଯୋଗିତା ହେବ ବୋଲି ସେ ସୂଚନା ଦେଇଛନ୍ତି। ଉକ୍ତ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଜେ. ଏମ୍‌. ସ୍ପୋର୍ଟସ ଏକାଡେମୀ ସମ୍ପାଦକ ଯଶୋବନ୍ତ ଦାସ, ଆଇନଗତ ପରାମର୍ଶଦାତା ସୁବ୍ରତ ମହାପାତ୍ର, କୋଷାଧ୍ୟକ୍ଷ ଦେବବ୍ରତ ପଟ୍ଟନାୟକ, ମୁଖ୍ୟ ପୃଷ୍ଠପୋଷକ ଅତିଶ କୁମାର ରାଉତ ପ୍ରମୁଖ ଉପସ୍ଥିତ ଥିଲେ।

Share